ଲଲାଟ ଲିଖନ
ଲଲାଟ ଲିଖନ
ଦେଇନାହଁ ବୋଲି ମନେ ଅଭିମାନ
କେବେ କରି ନାହିଁ ମୁହିଁ ,
ମୋ ଭାଗ୍ୟ ଆଦରି ପଡିଛି କହ୍ନେଇ
ସଦା ତୁମ୍ଭ ନାମ ଧ୍ୟାୟୀ ।
ସୁଖ ଅବା ଦୁଃଖ ଯାହା ଦେଉଅଛ
ସବୁତ ତୁମରି ଦାନ,
ମୋ ଭାଗ୍ୟର ଲେଖା କିଏବା ଭୋଗିବ
ଭୁଞ୍ଜିବି ସାରା ଜୀବନ ।
ପିତାମାତାଙ୍କର ସଂଯୋଗ କାଳରେ
ଲଲାଟେ ଲେଖି ଦେଇଛ,
ସେହି ଯୋଗ ଲଗ୍ନ ସାଜେ ଆଜି ଦାଉ
ତୁମ୍ଭେତ ଏହା ବିହିଛ ।
ପୂର୍ବ ଜନ୍ମ ସବୁ କଲା କର୍ମମାନ
ହିସାବ ଗଣିତ ସାରି,
ଦେଇଛ ଜନମ ଦେବକୁ ଦୁର୍ଲଭ
ମନୁଷ୍ୟ ଜନମ କରି ।
ପୁଣ୍ୟବଳ ଦେଖି ନରଜନ୍ମ ଦେଲ
ପୁଣି କରି ଭାଗ୍ୟହୀନ,
ନିର୍ଦ୍ଧନି ମନୁଷ୍ୟ ସମାଜ ଆଗରେ
ଲଭେ ନାହିଁ ସନମାନ ।
ବିତ୍ତଶାଳୀ ବ୍ୟକ୍ତି ପାଏ ସନମାନ
ଗରୀବ ଭାଗ୍ୟେ କି ଲେଖା,
ଧନହୀନ ବୋଲି ପଚାରନ୍ତି ନାହିଁଁ
ମୋତେ କି ପାଇଛୁ ଦେଖା ।
ସବୁ ଦୋଷ ମୋର ମୁଁ ନିମିତ୍ତ ମାତ୍ର
କାହିଁ ଜନ୍ମ ଦେଉଥିଲୁ ,
ଯଦି ଜନ୍ମ ଦେଲୁ ସୁଖଟିକେ ଦେଇ
ଅଧାବାଟୁ କାଢିନେଲୁ ।
ଆଉ କେତେ ଦୁଃଖ ବାକି ଅଛି କହ
ହସିହସି ସହିଯିବି ,
ତୋ ନାମ ନାବରେ ବସିଛି ବୋଲି ମୁଁ
ତୋତେ କି ପାଶୋରୀ ଯିବି ।
ଆଉ ଯଦି ଦୁଃଖ ବାକି ଅଛି ପ୍ରଭୁ
ସବୁତକ ଦିଅଢ଼ାଳି,
ଆନନ୍ଦେ ମଗନ ହୋଇ ନୃତ୍ୟେରତ
ମାରୁଥିବି କରତାଳି ।
ରାଧା-କୃଷ୍ଣନାମ ନିତ୍ୟ ଅବିରତ
ଗାଉଥିବି ଦିବାନିଶି,
ଦିବାକର ଶଶୀ ଥିବାଯାଏ ପ୍ରଭୁ
ନାମ ଗାଉଥିବି ବସି ।
ହେ କରୁଣାସିନ୍ଧୁ ଏତେ କୃପାକର
ଏ ଦାସାନୁଦାସ ଠାରେ,
ଥରୁଟିଏ ଚାହିଁ ଦୟାକର ନାଥ
କୃପା କଟାକ୍ଷ ନେତ୍ରରେ ।