ଦାୟିତ୍ବ
ଦାୟିତ୍ବ
.
ଜନ୍ମଠୁଁ ମରଣ, ପର୍ଯ୍ୟନ୍ତ ମଣିଷ,
ବିଭିନ୍ନ ଦାୟିତ୍ୱ ନିଏ,
ସତେ ଯେପରିକି, ଦାୟିତ୍ୱ ନେବାକୁ,
ଜନମ ହୋଇଛି ସିଏ !
ବିଦ୍ୟାଳୟ ଗଲେ, ଦାୟିତ୍ୱ ନେଇକି,
ପାଠ ପଢା କରିଥାଏ,
ଘରେ ଥିବାବେଳେ,ଛୋଟ ଛୋଟ କାମେ,
କିଛିଟା ଦାୟିତ୍ୱ ପାଏ !
ଚାକିରୀ କରିଲେ, ପରିବାର ପାଇଁ,
ଦାୟିତ୍ୱ ତାହାର ବଢେ,
ଛୋଟଠାରୁ ବଡ଼, ସବୁ କିଛି ଖର୍ଚ୍ଚ,
ତାକୁ କରିବାକୁ ପଡେ !
ବିଭାଘର ପରେ, ପତ୍ନୀ ଆସିବାରୁ,
ସଂସାରରେ ହୁଏ ଛନ୍ଦି,
ଆଉ ଜଣକର, ଦାୟିତ୍ୱରେ ହୁଏ,
ସେହି ଦିନଠାରୁ ବାନ୍ଧି !
ସନ୍ତାନ ଜନ୍ମିଲେ, ଦାୟିତ୍ୱ ବଢ଼ିକି,
ଧୀରେ ଧୀରେ ହୁଏ ବାଇ,
ସବୁ କଥା ବୁଝି, ଖାଇ ପାରେନା କି,
ରାତିରେ ପାରେନା ଶୋଇ !
ବାର୍ଦ୍ଧକ୍ୟ ବେଳରେ, ବାପ-ମାଆଙ୍କର,
ଦାୟିତ୍ୱ ତା' ଠାରେ ନ୍ୟସ୍ତ,
ବାରମ୍ବାର ଦେହ, ଖରାପ ହେବାରୁ,
ଚିକିତ୍ସା ପାଇଁ ସେ ବ୍ୟସ୍ତ !
ବନ୍ଧୁ ବାନ୍ଧବଙ୍କ' ଶୁଭା-ଶୁଭ କାମେ,
ଦାୟିତ୍ୱ କରଇ କାବୁ,
ଭଉଣୀ ସାବିତ୍ରୀ, ତା' ପିଲା ପଢୁଆଁ,
ଦାୟିତ୍ୱ ନିଏ ସେ ସବୁ !
ପରିବା, ସଉଦା, ଦାୟିତ୍ୱ ନେଇକି,
ଯଥା ସମୟରେ କିଣେ,
ନ ହେଲେ ଉପାସ,ରହିବେ ସମସ୍ତେ,
ନ ଖାଇବେ କେହି ଜଣେ !
ବୁଢା ହେଲେ ପିଲେ, ଦାୟିତ୍ୱ ନିଅନ୍ତି,
ହେଲେ କି ଦାୟିତ୍ୱ ସରେ ?
ଘରେ ରହିଲେ ବି, ନାତି, ନାତୁଣୀଙ୍କୁ,
ଖେଳାଏ, ବୁଲାଏ, ଧରେ !
ବିଛଣାରେ ପଡ଼ି, ଉଠି ନ ପାରି ବି,
ଦାୟିତ୍ୱ ନ ଥାଏ ସରି,
ଦାୟିତ୍ୱ ତାହାର, ସେତେବେଳେ ତୁଟେ,
ଯେତେବେଳେ ଯାଏ ମରି !