ଉପହାର
ଉପହାର
ବନ୍ଧୁ ତୁମେ ମୋତେ ଉପହାର ଦେଲ
ସ୍ନେହ ଦେଇଛ ଅଜାଡି
ଗ୍ରହଣ କରିଛି ସବୁ ଉପହାର
ଶୁଭେଚ୍ଛା ଦେଉଛି ବାଢି l
ନେଇଅଛି ହେଲେ ଦେଇ ମୁଁ ପାରୁନି
ବଦଳରେ ଉପହାର
ସୁଦାମା ପରି ମୁଁ ନିସ୍ଵ ହେ ବନ୍ଧୁ
ମମତା ହୃଦରେ ମୋର l
ସ୍ନେହ ଦେଉଅଛି ମମତା ଦେଉଛି
ପ୍ରୀତି ଦିଏ ଉପହାର
ଭାବିବନି କିଛି ଆପଣାର ଭାବି
ସାଦରେ ଗ୍ରହଣ କର l
ପାଇବାରେ ନାହିଁ ଆନନ୍ଦ ହେ ବନ୍ଧୁ
ତ୍ୟାଗରେ ହିଁ ବଢେ ସ୍ନେହ
ପାଇଗଲେ ଥରେ ଆକର୍ଷଣ କମେ
ନଥାଏ ଆଉ ସେ ମୋହ l
ନିଜର ଭାବିବ ହୃଦରେ ରଖିବ
କର୍ଣ୍ଣ ପରି ବନ୍ଧୁ ହେବ
ଜିତିବାର ନାହିଁ ଜୀବନ ଯୁଦ୍ଧରେ
ଜାଣିବି ବନ୍ଧୁତ୍ୱ ଥିବ l
