ଲେଖନୀ
ଲେଖନୀ
ଜନମ ମୋହର ,ଲେଖିବା ପାଇଁକି
ଲେଖୁଛି ଲେଖିବି ସଦା ।
ଯେତେ ଦିନ ଥିବ,ଦେହରେ ରୁଧିର
କରିବି କାଗଜ ଓଦା ।।୧
କେବେ ଲେଖେ ମୁହିଁ, କା ପାଇଁ ଯେ ଚିଠି
ଲେଖଇ ପୁଣି କବିତା ।
କେବେ ଲେଖେ ସେହି,କାଗଜ ଉପରେ
ଦରଦୀ ବାପାର ବାର୍ତ୍ତା ।।୨
ଦେଶର ସୀମାରେ, ସ୍ୱାମୀ ବିରହରେ
ଲେଖିଛି ପତ୍ନୀର କଥା ।
ଲେଖି ଥିଲି ଦିନେ, ସେହି ମହାଜନେ
ହାତେ ଧରି ବନ୍ଦୀ କଥା ।।୩
ଲେଖିଛି କେତେ ଯେ, ସଂଗ୍ରାମ କାହାଣୀ
ଉତ୍ତପ୍ତ ରକତେ ମୋର ।
ସ୍ୱାଧୀନତା ପାଇଁ, ଝାରାଇଛି କେତେ
ଦେହରୁ ମୋର ରୁଧିର।।୪
ହେଲେବି ଥକିନି ,ଠକିବା ଜାଣିନି
କରୁଛି କରିବି କର୍ମ ।
ମାନବ ସେବା ଯେ, ମାଧବଙ୍କ ସେବା
ଜାଣିଛି ପ୍ରକୃତ ଧର୍ମ।।୫
କରିଛି ଶପଥ ,ପାଇଁ ଏ ଜଗତ
ଲେଖିବି ମୁଁ ସଭିଙ୍କର ।
ସେଦିନ ଛାଡ଼ିବି, କେଜାଣି ଜାଣିନି
ହେବି ଯେବେ ମୁହିଁ ମର ।।୬