STORYMIRROR

Amulya Kumar Nayak

Abstract

4  

Amulya Kumar Nayak

Abstract

ମୁଠେ ମାଟି ଅଛି ଶୋଇ

ମୁଠେ ମାଟି ଅଛି ଶୋଇ

1 min
505


ଭୂଗୋଳ ଯାହାର ହେଲା ନାରଖାର

   ଇତିହାସ ଲାଗେ ଇତି

କେଉଁ ରୂପେ ତାକୁ ବଖାଣୀ କହିବି

   ମୋ ଗାଆଁ ମୋ ସଂସ୍କୃତି ।।


ପିଲାଠୁଁ ଭେଣ୍ଡିଆ ହେଲେଣି ବାଇଆ

   ନାହିଁ ଭାଗବତ ଟୁଙ୍ଗୀ

ବେଦ ଶାସ୍ତ୍ର ସବୁ ଚୁଲିକି ଗଲାଣି

   ମାଆ ମମି,ବାପା ଡାଡି ।।


ଚଟାଣଟେ ନାହିଁ ଚାଟଶାଳୀ ଦୂର

   ନାହିଁ ବର୍ଣ୍ଣବୋଧ ପାଠ

ରାତି ପାହୁଅଛି ରାବୁନାହିଁ କାଉ

   ନାହିଁ ଅବଧାନ ସାଣ୍ଠ ।।


କୂଳ ଛୁଉଁନାହିଁ ଜୁଆରୀଆ ନଈ

   କୁଳକୁ ଫେରୁନି ପୁଅ

କାଳ ବି ପୁରୁନି କଙ୍କାଳ ସାଜିଛି

    ନଗଡା ପରି ତା ଦେହ ।।


ମନ୍ଦିର ଦିଶୁଛି ମୁଖଶାଳା ଖାଲି

    ହାଟରେ ଲାଗୁଛି ଭିଡ

ଦାସ ଭାଗବତ ନାହିଁ ପାଠ ଗୀତ

    ଟିଭି ସିରିଏଲ୍ ମାଡ ।।


ଗୋଧୂଳି ଲଗନ ହେଲାଣି ସପନ

   ଗୁହାଳ ଦିଶୁଛି ଖାଆଁ

ଗୋବର ନାହିଁ କି ଗୋବରୀ ଲେପୁନି

   ସିମେଣ୍ଟେ କାନ୍ଥ ତା ନୂଆ ।।


ନୀତିଶାସ୍ତ୍ର ସବୁ ନାକ ଟେକିଲାଣି

    ରାଜନୀତି ଭଣ ଭଣ

ଘରେ ଘରେ ଏବେ ଘାରିଛି ସଭିଙ୍କୁ

    ସତେ ଅବା ଉମିକ୍ରନ ।।


ସାଧବ ବୋହୁର ସାଧବାଣୀ ବେଶ

    ହଜିଛି ଗାଧୁଆ ତୁଠେ

ଆଧୁନିକା ନାମେ ଅଧିକାର ପାଇ

    ପିନ୍ଧେ ପାଇଜାମା ପଟେ ।।


ଡାକବାଲା ଆଉ ଡାକ ଛାଡୁନାହିଁ

   ଚିଠି ନିଅ ଚିଠି ନିଅ

ହିଡମୂଳେ ବସି ଭାତ ଖାଉନାହିଁ

   ଆମ ଗାଆଁ ଚଷା ପୁଅ ।।


ହଜେଇ ଆୟୂଷ ଗାଆଁ ପରିବେଶ

   କଳଯନ୍ତ୍ର କୋଳେ ଧରି

ହୁକେ ହୋ ଡାକ ନାହିଁ କାକ ପିକ

   ରାତି ଯେତେ ଆସୁ ଘେରି ।।


ହଜିଛି ମୋ ଗାଆଁ ହଜିଛି ସଂସ୍କୃତି

   ହଜିଛି ମୋ ସାହି ଭାଇ

ହଜିଛି ଜୀବନ ହଜିଛି ସପନ

   ମୁଠେ ମାଟି ଅଛି ଶୋଇ

   ମୁଠେ ମାଟି ଅଛି ଶୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract