STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବାୟାମନରେ

ବାୟାମନରେ

1 min
319


ଆରେ ବାୟାମନ ସ୍ଥିର କରି ମନ

    ତୋ ହୃଦ ମଧ୍ୟରେ ଦେଖ,

ସେ ବ୍ରହ୍ମ ପୁରୁଷ ତୋ ଦେହରେ ସ୍ଥିତ

    ଆତ୍ମା ସ୍ଵରୂପେ ପ୍ରତ୍ଯକ୍ଷ।


ଏ ମାୟା ସଂସାରେ ଜନମି ମଣିଷ

    ଲୋଭ ଲାଳସାରୁ ମରେ,

ବାଲ୍ଯରୁ ଯୌବନ ଅନ୍ତେ ମାଡିଆସେ

    କଫ ବାତ ପିତ ଧରେ।


ଚୂଳ ପାଚିଯାଏ ଦାନ୍ତ ପଡିଯାଏ 

    ଛାତି ହାଡ଼ ହୁଏ ଗଣି,

କେଶର କସ୍ତୁରୀ ଅତରେ ଗଢିଛୁ

    କେହି ଛୁଇଁବେନି ପୁଣି।


ପୁଅ ଝିଅ ନାତି ତୋ କୁଟୁମ୍ବ ଜ୍ଞାତି

    ମାହାର୍ଦ୍ଦ ପାଣି ନ ଦେବେ,

ମଢା ବୋଲି କହି ଦୂରେଇ ସେ ଯିବେ

    ସମ୍ପତ୍ତି ବାଣ୍ଟ କରିବେ।


ତୋ ଶରୀର ଛିଣ୍ଡା ବସନ ଖଣ୍ଡିକ

    ଦାଣ୍ଡେ ପଡିଥିବ ରହି,

ନାକେ ହାତ ଦେବେ ଦୁର୍ଗନ୍ଧ ବାରିବେ

    ଶବ ବୋଲି ତୋତେ କହି।


ଅମୋକ୍ଷ ଆତ୍ମାତୋଶୂନ୍ୟେ ଘୂରିବରେ

    ଭୂତ ପ୍ରେତ ରୂପ ହୋଇ,

ଦଶ ଏକାଦଶ ଦ୍ଵାଦଶାଦି କର୍ମ

    ସେକାଳେ ସମ୍ପୂର୍ଣ୍ଣ ହୋଇ।


ଲୋକ ଦେଖା ଦଶ ଦ୍ଵାଦଶ ପାଳନେ

    ଅଣ ଶୁଦ୍ଧିଆରୁ ମୁକ୍ତି,

ଏ ହାତର‌ ପାପ ସେ ହାତ ନେଇନି

    ଆତ୍ମା ହୋଇବ କି ଶାନ୍ତି ।


ନିଜେ କରିଥିବା କର୍ମଫଳ ଯୋଗେ

    ଜୀବଚକ୍ର ସଂସାରରେ,

କେହି ତ କାହାର ଭାଗ୍ୟଫଳ ଲେଖା

    କପାଳୁଁ କି ପୋଛି ପାରେ ।


ପରିବାର ଘର ଛାଡ଼ି ଏ ସଂସାର 

    ଶୂନ୍ୟ ହସ୍ତେ ଚାଲିଯିବୁ,

କାହିଁକି ମିଛରେ ଲୋଭ କାମନାରେ

     ଅଧର୍ମଗୁଡା ଅର୍ଜିବୁ।


ଦଧିମନ୍ଥନରୁ ଲବଣୀ ପାଇବୁ

     ପରମାତ୍ମା ତୋର ଦେହେ,

ବେଳୁ ଜପୁଥିଲେ ମୁକତି‌ ଲଭିବୁ

     ଏ କଥା ଅନ୍ୟଥା ନୁହେଁ।


ତୋର ସତ କର୍ମ ହେବ ଗଣ୍ଠିଧନ

     ଆହା ପଦେ ଶୁଣିବୁରେ,

ମୁରୂଖ ଅପର୍ତ୍ତି କହେ ଭାବିଚିନ୍ତି

    ମିଛ ମାୟା ସଂସାରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy