ଜୀବନର ଶେଷ ପାହାଚ
ଜୀବନର ଶେଷ ପାହାଚ
ମୁଖ ନିଃସୃତ ବାଣୀ
ବହିଯାଇଥିବା ପାଣି
ଧନୁରୁ ବାହାରିଯାଇଥିବା ତୀର
କେବେ ଫେରି ଆସେନା।
(କିଶୋର):-
କିଶୋର ଶବ୍ଦର ଅର୍ଥ ହିଁ ଏ ଅବସ୍ଥାର
ସଂଜ୍ଞାକୁ କରେ ନିରୂପଣ
ବହୁତ କଠିନ ଲାଗେ କାଟିବାକୁ ଏ ସମୟ
ଶଗଡ ଚକା ପରି ବିଶାଳ
କିନ୍ତୁ ଅତିକ୍ରମ କରିଯାଏ ଜଣାପଡେନା ଲକ୍ଷ୍ୟସ୍ଥଳ।
ଉନ୍ମାଦିତ ମନ ଭଲ ଖୋଜିବା ଓ ପାଇବାର ଇଚ୍ଛା
ବିଚଳିତ ମନସ୍ତତ୍ତ୍ୱ ଅଙ୍ଗେ ଅଙ୍ଗେ ଭରା ଉଦ୍ଦୀପନା।
ମନ ଲାଖି ମନଟିଏ ମିଳିଗଲେ
ଲାଗେ ସତେ ଅବା ସମଗ୍ର ଧରା ହାତ ମୁଠାରେ।
କୈଶୋରର ଅଭୁଲା ସ୍ମୃତି ସଦା ସ୍ମରଣୀୟ।
(ପ୍ରୌଢ):-
ଜିମେବାର ହେବାର ଆଉ ଏକ ନିପୁଣତା
ନିଷ୍ପତ୍ତି ନେବାର ଏକ ଅଭୂତପୂର୍ବ ଅଭିଜ୍ଞତା
କର୍ମଠ ଅବା କର୍ମ ଠକ - ନିଷ୍ପତ୍ତି ସ୍ୱୟଂ ନିଜର
କମର କସିନେଲେ ସବୁକିଛି ସହଜ
ଗଧ ପରି କଷ୍ଟ ସହିଲେ ସମସ୍ତେ ଖୁସି
ନଚେତ୍ ଏ ଦୁନିଆ ଲାଗେ ନିରର୍ଥକ।
ଏକ ରୁ ଦୁଇ ହେବାର ମିଠା ମିଠା ଅନୁଭବ
ପତି ଏବଂ ପତ୍ନୀର ଅମୂଲ୍ୟ ସମ୍ପର୍କକୁ
ଅନାବିଳ ପ୍ରେମ ସ୍ନେହ ମମତାର ବନ୍ଧନରେ
ବାନ୍ଧି ରଖିବାର ସର୍ବଶ୍ରେଷ୍ଠ ବୟସର ଅନବଦ୍ୟ ଦାନ।
(ବୟୋବୃଦ୍ଧ):-
ପରିପକ୍ୱତାର ସର୍ବୋଚ୍ଚ ସମ୍ମାନ
ବୟସର ସଞ୍ଜୁଆ ସୋପାନ
ରାତ୍ରିର କଳା ଅନ୍ଧକାରକୁ ଡରୁଥିବା
ଏକ ଆତ୍ମିକ ପୀଡନ।
ଫେରି ଆସନ୍ତାକି ପୁଣି ଥରେ ସେ
ଶିଶୁ ବାଲ୍ୟ ଯୌବନ !
ଖେଳନା ଘୋଡାରେ ବସି ବହୁତ ଦୂର
ଚାଲିଯିବାର ସାନ୍ତ୍ୱନା
ମୁକ୍ତ ବିହଙ୍ଗ ପରି ଖୋଲା ଆକାଶର
ଉଡି ବୁଲିବାର ଇଚ୍ଛା
ମନର ମଣିଷଟିଏ ପାଇବାର ଉତ୍କଣ୍ଠାରେ
ମନେ ମନେ ଖୁସି ହେବା।
ସେ ଅଫେରା ଅତୀତ କେବେ ଫେରିବ ନାହିଁ
ଅତୀତକୁ ରୋମନ୍ଥନ କରି କ୍ଷତାକ୍ତ ହେବା ସାର
ଏ ଅବସ୍ଥା ସବୁଥାଇ ନିଃସଙ୍ଗତାର ଏକ ଯନ୍ତ୍ରଣାଗ୍ରସ୍ତ ଅବସ୍ଥା।
ଏବେ ଖାଲି ବୟସର ରାସ୍ତାର ଶେଷ ମୁଣ୍ଡରେ ପ୍ରତୀକ୍ଷା।
ବୟସର ଇନ୍ଦ୍ରଧନୁ ବେରଙ୍ଗ ହୋଇଯାଇଛି
କେବଳ ବିଜନତା ଭରା ପ୍ରତୀକ୍ଷା
ଏବଂ ପ୍ରଭୁ ନାମରେ ପ୍ରତୀକ୍ଷିତ ଏକ ବୟୋବୃଦ୍ଧ।
ଏବେ ଅପେକ୍ଷାରତ ସେହି ଶୂନ୍ୟବ୍ରହ୍ମଙ୍କ ଆଶୀର୍ବାଦ
ଯେଉଁ ଶୂନ୍ୟରୁ ଆରମ୍ଭ ସେହି ଶୂନ୍ୟ ପଥର ଯାତ୍ରୀ।
