ଏକ ସାକ୍ଷାତକାର
ଏକ ସାକ୍ଷାତକାର
ସାକ୍ଷାତକାରରେ କହୁଥିଲେ ନିଜେ
ପ୍ରାର୍ଥିନୀ କର୍ପୋରେଟର
ଥିଲେ ସେ ସଞ୍ଜୟ ଏବେ ସେ ସଞ୍ଜିତା
ନୁହେଁ ସିଏ ନାରୀ ନର ।
ମଣିଷଟିଏ ସେ ଲଭିଛନ୍ତି ଜନ୍ମ
ମରିଯିବେ କରି କର୍ମ
ବଞ୍ଚି ରହିବାକୁ ଅଛି ଅଧିକାର
ଜୀବନ ହିଁ ଶ୍ରେଷ୍ଠ ଧର୍ମ ।
ସହିଥିଲେ ସିଏ ଟାହି ଓ ଟାପରା
ବହୁତ କିଶୋର କାଳେ
ସମାଜ ଦେଖିଲା ଖରାପ ନଜରେ
ଲଜ୍ଜା ହେଲା ପରିବାରେ ।
ଯେଉଁ ଜନ୍ମଗତ ଦୋଷତ୍ରୁଟି ପାଇଁ
ନୁହେଁ ତିଳେ ସିଏ ଦାୟୀ
କାହିଁକି ସମାଜ କରେ ଉପହାସ
ଅଛି ପ୍ରଶ୍ନବାଚ୍ଚୀ ହୋଇ ।
ଛକା ମାଇଚିଆ ରଙ୍ଗ ନାମ ଦେଇ
କରେ ତାକୁ ହତାଦର
ତା ମାନ ସମ୍ମାନ ସମାଜେ ପ୍ରତିଷ୍ଠା
କାହିଁକି ନୁହେଁ ସ୍ୱତନ୍ତ୍ର ।
ନକହି କାହାକୁ ମନର ବେଦନା
ଦିନେ ଅର୍ଦ୍ଧରାତ୍ରି ବେଳେ
ପଳାଇ ଆସିଲେ ଦୂର ସହରକୁ
ହଜିବାକୁ ଗହଳିରେ ।
ମିଳିଗଲେ କିଛି ପ୍ରିୟ ସାଙ୍ଗସାଥି
ଦୁଃଖୀ ସମଭାବାପନ୍ନ
ଦେଲେ ସେ ଆଶ୍ରୟ ଆପଣା ବସ୍ତିରେ
ନେଲେ ନିଜ ପରି ଯତ୍ନ ।
ପଢି ପାଠଶାଠ ସେ ଉଚ୍ଚ ଶିକ୍ଷିତ
ମାନବ କଲ୍ୟାଣେ ବ୍ରତୀ
ସମାଜ ନିମନ୍ତେ କରିବେ ସତ୍କାର୍ଯ୍ୟ
ସୁସଙ୍କଳ୍ପ ନେଇଛନ୍ତି ।
ତାଙ୍କ ଜୀବନର ଦୁଃଖ ଓ ଯନ୍ତ୍ରଣା
ନ ଭୋଗନ୍ତୁ ଆଉ କେହି
କରି ଦେଖାଇବେ ଚମତ୍କାର କିଛି
ଉଚ୍ଚ କ୍ଷମତାରେ ରହି ।
ଆପଣା ଖୁସିରେ ଜୀଇବା ଜୀବନ
ମାନବୀୟ ଅଧିକାର
ଲଭିଛି ମାନ୍ୟତା ଲିଙ୍ଗ ବୈଷମତା
ହେଉ ହିତ ଶୁଭଙ୍କର ।
