ମୌସୁମୀ
ମୌସୁମୀ
ମୌସୁମୀ ତୁମେ ବରଷ ସଧୀରେ
ଭିଜିଯାଉ ତନୁ ମନ
ଶୁଷ୍କ ମରୁସ୍ଥଳେ ଭରୁ ସବୁଜିମା
ଚହଟୁ ହୃଦ ନନ୍ଦନ ।
ସନ୍ତାପିତ ପ୍ରାଣ ଜଳୁଛି ହୃଦୟ
ନିଦାଘ ଉତ୍ତପ୍ତ ତାପେ
ଆସ ମୌସୁମୀ ବରଦ ମୁଦ୍ରାରେ
ମଞ୍ଜୁଳ ମେହେନ୍ଦି ହସ୍ତେ ।
ଜାଗି ଉଠୁ ମନେ ଆଶା ଓ ଆକାଂକ୍ଷା
ସବୁଜ ସ୍ୱପ୍ନ ସୁନ୍ଦର
ନ ଲଂଘୁ କୂଳକୁ ପିପାସା ଦୁର୍ବାର
ନ ଉଛୁଳୁ ବନ୍ୟା ଜଳ ।
ଟପି ବନ୍ଧବାଡ଼ ବନ୍ୟା ଯେବେ ଆସେ
ମାଡିଯାଏ ଦୁଇକୂଳ
ଦିଅଇ ଆଘାତ ଦୁଃର୍ବିସହ ଦୁଃଖ
ପରିସ୍ଥିତି ପ୍ରତିକୁଳ ।
ଭାସିଯାଏ ଘର ଧନ ଓ ଜୀବନ
ହୃଦୟକୁ ଦିଏ ଭାଙ୍ଗି
ଜିଇଁଥାଉ ମରେ ଅଭାଗା ମଣିଷ
ହୁଅଇ ଅସୁସ୍ଥ ରୋଗୀ ।
ମୌସୁମୀ ତୁମେ ଜୀବନ ଆଧାର
ବିତର ସବୁଜ ସ୍ୱପ୍ନ
ଦିଅ ଶୀତଳତା ପ୍ରେମ ନିବିଡ଼ତା
ଅମୃତର ବରଦାନ ।
ମୌସୁମୀ ତୁମ ନୀଳ ସମ୍ମୋହନ
ମଧୁମୟ ଶୁଭାଶିଷ
ମାଟି ମଟାଳର ମଣିଷ ଉନ୍ମେଷୁ
ଜୀବନ ସୂତ୍ର ରହସ୍ୟ ।