STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କାଗଜ କହୁଛି

କାଗଜ କହୁଛି

1 min
343


କହୁଛି କାଗଜ ତୁହିରେ କଲମ‌

    ଆସୁଛୁ ଏମିତି କାହିଁ,

କରି ଚରଚର ହୋଇ ତରବର 

   ମୋଦେହେ ଦେଉ ଗାରେଇ‌।


କେଉଁଠୁ ତୁ ଆସି ହଠାତ୍ କାହିଁକି

    ଜମି ଚାଷ କଲା ଭଳି,

ମୁନିଆଁ ଥଣ୍ଟରେ‌ ମୋ ଶୂନ୍ୟ ଛାତିରେ

   ସ୍ନେହ,ପ୍ରେମ ଦେଉ ବୋଳି।


ସେତେବେଳେ ସାଧାକାଗଜଟି‌ ହୋଇ

    ମୁଁ ଆଉ ରହେ ନାହିଁ,

ଯେତେବେଳେତୁ‌ମୋଦେହେଜ୍ଞାନମଞ୍ଜି

    ଯାଉ ପୁଣି ବୁଣିଦେଇ।


ତୋ ପବିତ୍ର ଷ୍ପର୍ଶ ମୋ ଓଠରେ ହସ

    ଭରି ଦେହ ଶୀହରାଏ,

ମନରୁ ଭାବନା ଯେତିକି ଦୂରତା 

    ତୋ ମୋ ଭିତରେ ଥାଏ।


ମୋ ଧଳା ବକ୍ଷରେ ତୋ କଳା ଅକ୍ଷର

    ଯେବେ ପୁଣି ଲେଖା ହୁଏ,

ବହି,ଖାତା, ପୋଥି, ଦରଖାସ୍ତ,ଚିଠି

    ରୂପେ ପରିଚୟ ପାଏ।


ଗୀତା, ଭାଗବତ, ରାମାୟଣ ଲେଖି

    ମୋତେ କଲୁ ତୁହି ଧନ୍ୟ,

କାର୍ଯ୍ୟାଳୟ ନଥିପତ୍ର ଦୁର୍ନୀତିରେ‌

    ଅସନ୍ତୁଷ୍ଟ ମୋର ମନ।


ଲେଖିଦେଲେ ପାଠ ହୁଏ ମୁଁ ପୁସ୍ତକ

    ମିଳେ ଯହିଁ ସବୁ ତଥ୍ୟ,

ଆଧୁନିକ ଉଗ୍ର ନଗ୍ନ ଆଲେଖ୍ୟରେ

    ହୁଏ ମୁହିଁ ଅପବିତ୍ର।


ଲେଖିଲେ ସାହିତ୍ୟ ନୀତି ବାଣୀ ଶାସ୍ତ୍ର

    ସେଥିରେ ମୋ ସାର୍ଥକତା,

ମନ୍ଦକଥା ଯଦି ମୋତେ କେବେ ଛୁଏଁ

    ବଢ଼େ ମୋର ମନ ବ୍ୟଥା।


ଧନ୍ୟ ତୁ କଲମ ଧନ୍ୟ ତୋର କାମ

    କାଗଜ ତୋ ପାଇଁ ଚିହ୍ନା,

ପାଠକ ସମାଜ ମୋତେ ଖୋଜିବନି

    କେବେହେଲେ ତୋ ବିନା।


କାଗଜ କଲମ ସମ୍ପର୍କ ପବିତ୍ର

    ଚିରସତ୍ଯ ସାରସ୍ଵତ,

ସଂସାରରେ ସବୁଠାରୁ ମୂଲ୍ୟବାନ

    ସବୁଠୁଁ ବେଶୀ ମହତ‌।  


ମୋ ପ୍ରିୟ କଲମ କହିବୁ ତୁହିରେ

    ସତକଥାଟିଏ‌ ସତେ,

କାହାନିର୍ଦ୍ଦେଶରେ କାହାବୋଲେ ବାବୁ

    ଋଣୀ କରିଦେଉ ମୋତେ ।


କହୁଛି କଲମ ଶୁଣରେ କାଗଜ 

    ସେହିତ ମହାତ୍ମାଟିଏ,

ଯିଏ ମୋତେ ଧରି କଳ୍ପନାରୁ ତୋଳି

    ଶବ୍ଦମାନ ଲେଖିଦିଏ‌।


ସେ ମହାନ ସ୍ରଷ୍ଟା ଦ୍ଵିତୀୟ ଈଶ୍ୱର

    ତାଙ୍କୁ ମୋର ନମସ୍କାର,

କଲମ ତାଙ୍କର ହେଉ ଅଗ୍ରସର

   ଏ ଶୁଭକାମନା ମୋର।


ଡାକ୍ତର କଲମ ରୋଗୀ ସେବା କରୁ

    ଦେଶ ସେବା ନେତାଙ୍କର,

ବୈଜ୍ଞାନିକ ହାତ କଲମ ନିର୍ମାଣୁ

    ନୂଆ ଜ୍ଞାନ କ‌ଉଶଳ‌।


Rate this content
Log in

Similar oriya poem from Tragedy