STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ମୋ ଦେହ ରାଇଜ ରଜା

ମୋ ଦେହ ରାଇଜ ରଜା

1 min
227


ମୋ ଦେହ ରାଇଜ ରଜା ଏହି ମନ

   ମୋ ଦେହ ରାଇଜ ରଜା,

ହୃଦ ସିହାସନ ରାଜଗାଦୀ‌ପରେ

   ନିଇତି ମାରୁଛି ମଜା‌।

ଭାରି ସ୍ଵେଚ୍ଛାଚାରୀ ଇଚ୍ଛା ଅଶ୍ଵ ଚଢ଼ି 

   ଏଣେତେଣେ ଥାଏ ଭ୍ରମି,

ଥାଏ ନିକଟରେ ଯାଏ ବହୁଦୂରେ

   ଅଟେ ବଡ ପରାକ୍ରମୀ।

ଇନ୍ଦ୍ରିୟ ଗଣ କି ପଚିଶ ପ୍ରକୃତି 

   ଅଟନ୍ତି ତା'ର ପରଜା‌,

ମନୁଆ ରଜାର ହୁକୁମ ମାନନ୍ତି

   ନିତି କରି ପାଦ ପୂଜା।

ଷଡ‌ ରିପୁ ମନ୍ତ୍ରୀ ପରିଷଦ ନେଇ

   ଚାଲେ ତା'‌ ରାଜ୍ୟ ଶାସନ,

ପାଟ ପଟୁଆର ଦୂତ କଟୁଆଳ

   ଦରବାରେ‌ ସଦା ପୂର୍ଣ୍ଣ।

ମତୁଆଲା ସଦା ମୋର ମନ ରଜା

   ଅହଂକାର ମଦ୍ଯ ପାନେ,

କାମନା ଲାଳସା‌ ବ୍ୟଭିଚାର ପଥେ

   ପାଦ ଥାପେ ପ୍ରତିଦିନେ‌।

ବିବେକର ଛାଇ ଦେଖି ନ ସହ‌ଇ

   ମନୁଆ‌ ରଜାଟି ମୋର,

ତେଣୁ ମୋର ଏହି ଦେହ ରାଇଜରେ

   ସବୁବେଳେ ଗଣ୍ଡଗୋଳ।

କେତେବେଳେ ଛୁରୀ ବନ୍ଧୁକର ଭୟ

   କେବେ ତ କୋର୍ଟକଚେରୀ,

କେତେବେଳେ ପ୍ରେମ ପ୍ରତାରଣା ଭୟ

   କେବେ ପୁଣି ଜୁଆଚୋରୀ‌।

ଇନ୍ଦ୍ରିୟ ସୁଖରେ ବୁଡିରହି ମନ

    ପରମକୁ ଚିହ୍ନେ ନାହିଁ,

ମୋର ମୋର କହି ଟଙ୍କା ପଛେ ଧାଇଁ

    ସ୍ଵାର୍ଥପର ଭାବ ବହି।

ଅନ୍ଯ ରାଇଜର ସମ୍ପଦକୁ ଦେଖି

    ଈର୍ଷାରେ ସେ ଜଳୁଥାଇ,

ତ୍ୟାଗ,ସେବା,ଦୟା,ପୁଣ୍ୟ କି ମମତା

    ଏଗୁଡିକୁ ଜାଣେ ନାହିଁ।

କାମିନୀ କାଞ୍ଚନ ବିଷୟା ରସରେ 

    ମସ୍‌ଗୁଲ୍ ସଦା ମନ,

କିଏ ବୁଝେଇବ କା' କଥା ମାନିବ

    ନିଜେ ଭାବେ ବଳବାନ।

କିଏବା ଜାଣିଛି ମନୁଆ‌ ରଜା ମୋ

    କେବେ ନିଜେ ବଦଳିବ,

ଚଣ୍ଡାଶୋକରୁ ସେ ଧର୍ମାଶୋକ ହୋଇ

    ସତ୍ୟ ପଥ ଆଚରିବ?

କେବେ ସେ ପାଇବ ବିବେକ ଗୁରୁଙ୍କ

    ଦିବ୍ୟ ଦର୍ଶନର ଯୋଗ,

ଦସ୍ୟୁ ରତ୍ନାକର ଆଉ ରହିବନି

    ବାଲମୀକ‌ ହୋଇଯିବ‌।

ଯଦି ନ ବଦଳେ‌ ମନୁଆ ରଜା ମୋ

    ନିଶ୍ଚେ ସେ ବିନାଶ ହେବ,

ଚେତନା ଦେଉଛି ଏହି ଚେତାବନୀ

    ମାନିଲେ ମୁକ୍ତି ମିଳିବ‌। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy