ସେହି ବର୍ଷା ରାତି
ସେହି ବର୍ଷା ରାତି
ଭୁଲିନାହିଁ ମନୁ ଭୁଲିବିନି କେବେ
ନିଝୁମ୍ ସେ ବର୍ଷା ରାତି
ଜୁଲାଇ ମାସର ତୃତୀୟ ଦିବସ
ଉଣେଇଶ ତେୟାଅଶୀ ।
ଆରୋହଣ କରି ମଟର ଯାନରେ
ଭୁବନେଶ୍ବରିଆ ବର
ହୋଇ ସଜବାଜ ବରଯାତ୍ରୀ ସହ
ଯାଇଥିଲୁ ଓଳାଭର ।
ନଥିଲା ସେ କାଳେ ନଦୀର ଉପରେ
ଯାତାୟତ ପାଇଁ ସେତୁ
ନଉକା ଉପରେ ହେଲୁ ଉପବେଶ
ପାର ଉତ୍ତାର ହେତୁ ।
କନିକା ବଜାରେ କଚ୍ଚା ବଗିବନ୍ଧ
ଦୂର ଥିଲା ଓଳାଭର
ଆସିଲା କୁଆଡୁ ଘୋଟି ଘନ ଘୋର
ବର୍ଷିଲା ମୂଷଳ ଧାର ।
ବିଦ୍ୟାଳୟ ଗୃହେ ରହିଲୁ ଅଟକି
ଥିଲୁ ସର୍ବେ ନିରୁପାୟ
ସକାଳ ହେଲାରୁ ଥମିଲା ବରଷା
ସୂରୁଜ ହେଲେ ଉଦୟ ।
ପାଣି କାଦୁଅରେ ସବାରୀ ପାଲିଙ୍କି
ଅଥବା ଯାନବାହାନ
ଯିବାପାଇଁ ପାଦେ ଆମ ବରଯାତ୍ରୀ
ବଳାଇଲେ ନାହିଁ ମନ ।
କଣ୍ଟାପଡ଼ା ଗାଆଁ ଚତୁର ମଉସା
ଗାଇ କେତେ ମିଛ ସତ
କହିଲେ କନିଆ ଗାଆଁ ଆଗପଡା
ଏଠାରୁ ଅଳପ ବାଟ ।
ଟିକିଏ ଆଗରେ ଲାଗିଛି ପଟୁଆ
ବହୁଛି ପୂବେଇ ବାଆ
ବସିଲେ ଘଡିକେ ପହଁଞ୍ଚିବା ଆମ୍ଭେ
ଜୋର ଅଛି ଜୁଆରିଆ ।
ତଳମାଳ ପାଟ ଯୁଆଡେ ଚାହିଁବ
ଦିଶୁଥିଲା ଜଳାର୍ଣ୍ଣବ
କହୁଥିଲେ ଥୋକେ କରି ଉପହାସ
ହୁସିଆରେ ଚଳା ନାବ ।
ଦିଶୁନାହିଁ କିଛି ଥଳକୂଳ ଦିଗ
କାତ ଧରି ନାଉରିଆ
ସମୁଦ୍ର ଆଡକୁ ଚଳାଇବ ନାହିଁ
ଭୁଲରେ ଆମ ନାଆ ।
ରହିଛି ଅଭୁଲା ସ୍ମୃତିରେ ସଜଳ
ବିବାହ ପାଣିଗ୍ରହଣ
ଦେଖିଲେ ଆକାଶେ କଳା ମେଘ ଖଣ୍ଡ
ନାଚି ଉଠେ ମୋର ମନ ।