ଭୋକ
ଭୋକ
କିଏ କ'ଣ ଦେଖିଛି କେବେ ,
ଫୁଟପାତ୍ ରେ ପଡ଼ିଥିବା
ଜୀଅନ୍ତା ଶବଟିର ଭୋକ ।
ସେ ଭୋକ କେବଳ
ପେଟର ଭୋକ ନୁହେଁ ,
କ୍ଷୁଧାର୍ତ୍ତୁ ଅଧରର ଖାଦ୍ୟ ଲାଳସା ନୁହେଁ ।
ସେ ଭୋକ,
ଟିକେ ସମ୍ମାନର ,
ଅସ୍ତିତ୍ବକୁ ବଞ୍ଚାଉଥିବା ଅସ୍ମିତାର ,
ଫୁଙ୍ଗୁଳା ଦେହର
ଲାଜ ଘୋଡ଼ାଉଥିବା ଖଣ୍ଡେ ଲୁଗାର ,
ଶବଟିର ଯାଏ କେତେ,
ଆସେ କେତେ ,
ରାତିରେ ଅଗଣିତ ତାରା
ଆକାଶରେ ମିଟି ମିଟି କଲେ ,
ଜହ୍ନ ,କଇଁକୁ ଦେଖି
ଆକାଶରେ ଲୁଚକାଳି ଖେଳିଲେ ,
ତା'କୁ ତ ବଞ୍ଚିବାକୁ ହେବ
ଆଉ ଗୋଟେ ରାତି ,
ଲୁଚାଇବାକୁ ହେବ
କଙ୍କାଳମୟ ଶରୀରର ସୁଠାମ ଅଙ୍ଗରାଜି ,
ଲକ୍ଷ ଲକ୍ଷ ଭୋକିଲା ଆଖିର ଭୋକରୁ
ଲୁଚି ଲୁଚି ,
ସନ୍ତାପିତ କରିବାକୁ ହେବ
ନିଜ ପେଟ ଚାଖଣ୍ଡର ଭୋକ ,
ଶବଟିର କ'ଣ ବା ଅଭିଳାଷା !
ତା'ର କି ଯାଏ-ଆସେ ,
କିଏ ତା' ଭୋକିଲା ଦେହକୁ ଦେଖି ,
କବିତା ସଙ୍କଳନଟିଏ ଲେଖିଲେ !!!
ଅଧାଢଙ୍କା ଶରୀରରୁ
ଉପମା-ଉପମେୟ ଖୋଜି
ଶବ୍ଦାଳଙ୍କାରରେ ସଜେଇଲେ ,
କ'ଣ ପ୍ରଶମିତ ହୋଇପାରେ ତା'ର ,
ପେଟର ଭୋକ ,
ଅବା , ଅସ୍ମିତାର ଭୋକ !
କିଏ କହେ ତା'କୁ ପାଗେଳୀ ,
କିଏ କହେ ଚରିତ୍ରହୀନା ,
କିଏ କହେ ଦରିଦ୍ର
ଆଉ କିଏ କହେ ଏପରି ଜନ୍ମ ତ
ଭାଗ୍ଯର ବିଡ଼ମ୍ବନା ।
କିନ୍ତୁ କିଛି ବି ଫରକ୍ ପଡ଼େ ନାହିଁ
ଶବଟିର ମାନସିକତାରେ ,
ସେ ତ ବହୁତ ବ୍ୟସ୍ତ ,
ବଞ୍ଚାଇବା ନିମନ୍ତେ
ନିଜ ଶରୀରର ଲାଜ ଟିକକ ,
ଶରବିଦ୍ଧ କରୁଥିବା
ଅନେକ ଭୋକିଲା ଆଖିର ଚାହାଣୀରୁ ,
କାମନାରେ ଅନ୍ଧ
ଅନେକ ମାଂସଳ ଦେହର ଭୋକରୁ ,