କବିର ବେଦନା
କବିର ବେଦନା
କବି ମନ ସତେ କେତେ ଅଵୁଝାଟେ
ଖୋଜଇ 'ନିଜର' ମିଛ ସଂସାରେ
ଛଳନାରେ ଭରା ଏହି ରଙ୍ଗମଞ୍ଚେ
ସଂଳାପ ଭାବ କିଏ ବୁଝି ପାରେ ?
ଦୁଃଖଟି ଲାଘବ ହୋଇବ ଭାବି ସେ
କବି ସାଜି କେବେ କାଳି ଝରାଏ
କୋକିଳ କଣ୍ଠର ଆବୃତିରେ କେବେ
ନିଜ ରୋଦନକୁ ପୁଣି ସରାଏ I
ଆଘାତଟେ ଯେବେ କରେ ବିଚଳିତ
ସାହାରା ଖୋଜଇ କବି ଅଧୀର
ସତ କିନ୍ତୁ ଏହା କବି ହିଁ ବୁଝଇ
ତାହାର କ୍ଷତଟି କେତେ ଗଭୀର !
ସବୁ ସମ୍ପର୍କର ସୀମାଟାଏ ଥାଏ
ସବୁ ସମ୍ପର୍କର ଥାଏ ପ୍ରାଚୀର
ଯାହା ଲଙ୍ଘିବାକୁ ନଥାଏ ସମ୍ବଳ
ତେଣୁ କବିଟେ ହୁଅଇ ଅଧୀର I
ଶବ୍ଦର ଭାବରେ କେବେ ସବୁ ଭାବ
ବ୍ୟକ୍ତ ହୋଇ ପାରେ କି କହିଦେଲେ?
ଅବ୍ୟକ୍ତ ବ୍ୟଥାର ପୀଡା ରହିଥାଏ
ହୃଦରେ ଲୁଚି ଲୁହ ପୋଛିଦେଲେ I
ସମ୍ପର୍କର ଡୋରି ସାହା ନ ହୋଇଲେ-
ଆତୁର ମନ ଆରତେ ଡାକିଲେ
ଡାକ କିଏ ଶୁଣେ ନିଶବ୍ଦ ରାତିରେ
ଶବ୍ଦହୀନ ଲୁହଧାର ବହିଲେ?
