ଜୀବନର ଦ୍ଵନ୍ଦ
ଜୀବନର ଦ୍ଵନ୍ଦ
ଉତ୍ତପ୍ତ ହେଲାଣି ଧରା ଚଇତ ଆସିବ,
ଦେହରେ ମୋ ବୟସର ମହକ ବାସିବ,'
କାମନାର ଚରାଭୂଇଁ' ଏ ମନ ସାଜିବ,
ନାସେନ୍ଦ୍ରୟ ଅତରର ପୁଲକ ଖୋଜିବ I
କିଛି ଶବ୍ଦ ନେଇ ଆଜି ଋତୁରେ ପ୍ରେମର,
ଲେଖିବି କବିତା ଭାବେ ସାଜିକି ଭ୍ରମର I
ନଚେତ ମୋ ଯଉବନ ହୋଇବ ଅତୀତ,
ସ୍ମୃତି ବିଦାରି ମନ ହୋଇବ ବ୍ୟଥିତ I
କୈଶ୍ୱର୍ଯ୍ୟର ବିହ୍ୱଳତା ଭାବନାକୁ ଟାଣେ,
କି କବିତା ହେବ ଲେଖା ନିଜେ ମୁଁ ନ ଜାଣେ,
ତଥାପି କିଛି ଲେଖିବି ନିଶ୍ଚେ ପ୍ରଣୟର ଗୀତି,
ଆଦୃତ ହେବ ସଭିଙ୍କ ପାଶେ ଦେବ ବନ୍ଧୁ ପ୍ରୀତି I
ଶୁଭେ ଡାକ କିନ୍ତୁ ମୋତେ କର୍କଶ ସ୍ଵରରେ,
ଭିକ୍ଷୁକଟିଏ କି ଡାକୁଛି ମୋ ଦାଣ୍ଡ ଦୁଆରେ
ସବୁଜିମା ପରିପୂର୍ଣ୍ଣ ବଗିଚାରେ ବସି,
ଅଭାବର ଅଙ୍କ କିଛି ଲାଗି ଯାଏ କଷି I
କିଏ ସେ ମାଗୁଛି ମୋତେ ମୁନ୍ଦିଏ ତୋରାଣି,
ବସନ୍ତର ଅଗଣା ଏ, ପାରୁନି କି ଜାଣି
ବାଡ଼ିପଟେ ଆମ୍ର ଦ୍ରୁମେ କୋକିଳ ଭାସୁଛି
ଦାଣ୍ଡଆଡ଼େ ଆଗନ୍ତୁକ 'ଯନ୍ତ୍ରଣା' କାଶୁଛି ।
ମଧୁ ମଳୟର ବାସ,ଏପାଖେ ଭରୁଛି,
କ୍ଳାନ୍ତ ଜୀବନର ଗନ୍ଧ ସେପାଖୁ ଝରୁଛି,
ଲେଖିଦେବି ଭାବି ଭାବେ ଭାବ ବାନ୍ଧିବାକୁ
,ଭାବର ସ୍ରୋତରେ ଲିପ୍ତ, ଶବ୍ଦ ଛନ୍ଦିବାକୁ ।
ଯୌବନର ସୁଖ ଦିନ ବୃଦ୍ଧ ବେଳ ଦୁଃଖ
ଜୀବନ ଯାତ୍ରାର ପରା ଏହି ଦୁଇ ମୁଖ,
ରୁଗ୍ଣ କଙ୍କାଳର ଦେହେ ପୀଡ଼ା ଥିବ ଭରି,
ତାକୁ ଦେଖି ଉନ୍ମାଦକୁ ରଚିବି କିପରି ।
ଲେଖନୀର କାଳି ଶୁଖେ ଲିଖନ ଅଟକେ
ବିରୋଧାଭାସର ଭାବ ମନରେ ମହକେ
ପ୍ରତିଦ୍ଵନ୍ଦୀ ଭାବନାରେ ହୃଦୟର ଦ୍ଵନ୍ଦ
ପ୍ରତିରୋଧ କରେ ପୁଣି ଅଣାୟତ ଛନ୍ଦ I
