ମାଆ ଓ ମମତା
ମାଆ ଓ ମମତା
ମୁଁ କହେ ଏହି ଦୁନିଆ ବୁକୁରେ
ମୋ ମାଆ ପରି ଆଉ କେହି ନାହିଁ
ବାପା ଗଲାପରେ ଏକା ଏକା ସିଏ
ତା ଜୀବନ ଯୁଦ୍ଧରେ ହାରିନାହିଁ
ବାପା ଗଲେ ଯେବେ ସ୍ୱାର୍ଥେ ଅନ୍ଧ ହୋଇ
ଆଉ କା' ମଥାରେ ସିନ୍ଦୁର ଦେଇ
ସେହି ଦିନଠାରୁ ମାଆ ମୋ ବଞ୍ଚିଛି
ଆମ ଦି ଭାଇଙ୍କ ମୁହଁକୁ ଚାହିଁ
ମୋତେ ହୋଇଥିଲା ମାତ୍ର 'ଛଅ' ବରଷ
ସାନଭାଇ ଥିଲା ମାଆ କୁଳରେ
ବାପା ଚାଲିଗଲେ ପର କରିଦେଇ
ମାଆକୁ ଭସେଇ ଲୁହ ନଈରେ
ସେଦିନୁ ଦେଖୁଛି ମାଆ ମୋର କେତେ
ଦୁଃଖ କଷ୍ଟ କରି ଜୀବନେ ତାର
ଭୋକ ଉପାସରେ ରହି ପିଇଯାଏ
ଆଖି ତଳର ସେ ଲୁଣିଆ ଝର
ଆମକୁ ସେ କେବେ ଦୁଃଖରେ ରଖିନି
ଦେଇନାହିଁ କେବେ ମନରେ ଦୁଃଖ
ତେଣୁ ଆମପାଇଁ ସରଗଠୁ ବଳି
ମାଆର ମମତା ସେନେହ ସୁଖ
