ଟଙ୍କା ଗଛ
ଟଙ୍କା ଗଛ
କବିତା ଲେଖିବା ଆଗରୁ ଜୁହାର
କରୁଛି ସେ ଚିତ୍ରକରଙ୍କୁ
ଏମିତି ସୁନ୍ଦର ଛବିଟିଏ ଆଙ୍କି
ଦେଇଛନ୍ତି ଯିଏ ଆମକୁ . . . . . . . . . (୧)
ଛବିରେ ଛବିରେ ଆଙ୍କିଛନ୍ତି ସିଏ
ଟଙ୍କା ଫଳୁଥିବା ଗଛଟେ
ସେହି ଟଙ୍କା ଗଛ ଲଗାଉଛି ପୁଣି
ଯତନରେ ଛୋଟ ପିଲାଟେ . . . . . . . . (୨)
ଗଛର ମହତ୍ତ୍ୱ ବୁଝିଛି ବୋଲି ସେ
ଯତନରେ ଗଛ ଲଗାଇ
ଗଛ ଯେ ଅମୂଲ୍ୟ ସମ୍ପଦ ଅଟଇ
ସମାଜକୁ ଦିଏ ବୁଝାଇ . . . . . . . . . (୩)
ପଥିକଙ୍କ ପାଇଁ ଯୋଗାଇବ ଛାଇ
ଗଛଟି ହୋଇଲେ ବଡ଼
ସେହି ଗଛଡାଳେ ନାନାଜାତି ପକ୍ଷୀ
ବାନ୍ଧିବେ ଆପଣା ନୀଡ଼ . . . . . . . . . . (୪)
କିଚିରି ମିଚିରି ଶବଦ ଶୁଭିବ
କୋଇଲି ଗାଇବ ଗୀତ
ସେଗୀତ ଶୁଣିକି ଫୁଲବି ଆସିବ
ଧରି ବସନ୍ତର ହାତ . . . . . . . . . . (୫)
ସେହି ଫୁଲ ପୁଣି ମହକି ଉଠିବ
ଚଉଦିଗ ଚଉପାସ
ଫୁଲର ମହକ ଫୁଟେଇବ ଯାଇ
ମହୁମାଛି ଓଠେ ହସ . . . . . . . . . . . (୬)
ସେ ମହକ ପାଇ ପୁଲକିତ ହୋଇ
ଉଡ଼ିଆସି ମହୁମାଛି
କୁସୁମରୁ ମହୁ ନିଜେ ପିଇ ପୁଣି
ଆମପାଇଁ ରଖେ ସଞ୍ଚି . . . . . . . . . . . (୭)
ଫୁଲ ପରେପରେ ଫଳରେ ସଜେଇ
ହୋଇବ ସେ ଗଛ ଡାଳ
ଫଳ ଖାଇବାକୁ କୁନା କୁନି ଯେତେ
ହୋଇବେ ସେଠାରେ ମେଳ . . . . . . . . (୮)
ଗଛର ପତର ଇନ୍ଧନ ପାଇଁକି
ଅଙ୍ଗାରକାମଳ ନେଇ
ପ୍ରାଣୀ ଜଗତକୁ ବଞ୍ଚିରହିବାକୁ
ଅମ୍ଳଜାନ ଥାଏ ଦେଇ . . . . . . . . . . (୯)
ଗୋଟିଏ ଗଛର ଦାନ ଅମ୍ଳଜାନ
କୋଟିଏ ଟଙ୍କାରେ ମିଳେନା
ସେଥିପାଇଁ ବୋଧେ ଟଙ୍କାଗଛ ବୋଲି
ଚିତ୍ରକରଙ୍କର କଳ୍ପନା . . . . . . . . (୧୦)
