ପାଷାଣ ତଳର କୋହ
ପାଷାଣ ତଳର କୋହ
ପୁରାଣ ବର୍ଣ୍ଣିତ ସୁଧା କଥାମୃତ
ଶୁଣ ମୋର ଶୁଦ୍ଧି ଜନେ
ଅତ୍ୟନ୍ତ ରୂପସୀ କନ୍ୟା ରତନ ଯେ
ଆସେ ବ୍ରହ୍ମ ଦେବ ଧ୍ୟାନେ ।
ସୃଷ୍ଟି କାରୀଙ୍କର ଚିନ୍ତା ଚେତନାରୁ
ଅପୂର୍ବ ସୁନ୍ଦରୀ ଜାତ
କିଏ ସେ କରିବ ଲାଳନ ପାଳନ
ମନକୁ କଲା ବ୍ୟଥିତ ।
ଗୌତମ ଋଷିଙ୍କ ହସ୍ତରେ ଦେଇଣ
ବୋଲନ୍ତି ପାଳନ କର
ଆନନ୍ଦରେ ଋଷି ସହମତ କରି
ବାହୁଡନ୍ତି ନିଜ ଘର ।
କିଛି ବର୍ଷ ଅନ୍ତେ ଯୌବନ ଦେଖିଣ
ମନସେ ମନ୍ଥନ କଲେ
ଆଶ୍ରମ ଭିତରେ ଏପରି ଯୁବତୀ
ନରଖିବି ଆଉ ତିଳେ ।
ବ୍ରହ୍ମାଙ୍କୁ ଫେରସ୍ତ ସମୟରେ ଇନ୍ଦ୍ର
ଦେଖି ହେଲେ ଲାଳାୟିତ
ବିବାହ ପାଇଁକି ହୃଦୟ କନ୍ଦରେ
ଉଦବେଗ ହୁଏ ଜାଗ୍ରତ ।
ଚତୁରାନନ ଯେ ଗୌତମ ଋଷିଙ୍କ
ସଙ୍ଗତେ ବିବାହ ଦେଲେ
ବେନି ପତି ପତ୍ନୀ ମହା ଆନନ୍ଦରେ
ଆଶ୍ରମକୁ ଚଳି ଗଲେ ।
ଦିନେକ ଗୌତମ ଯଜ୍ଞ ଆରମ୍ଭିଲେ
ନିମନ୍ତ୍ରଣ କଲେ ଋଷି
ପୁଣି ଚଉଦିଗୁ ଦେବ ଉପସ୍ଥିତେ
ଦେଖି ଯେ ଗୌତମ ଖୁସି ।
ଦେବତାଙ୍କ ମଧ୍ୟେ ଇନ୍ଦ୍ର ଦେବ ଥିଲେ
ପୂର୍ବରୁ କାମନା ନେଇ
କପଟତା କରି କୁକୁଡ଼ା ସ୍ବରରେ
ପ୍ରଭାତ ବୋଲିଣ ଗାଇ ।
ଗୌତମ ଚିନ୍ତିଲେ ଉଷା ଉପନିତ
ରାତ୍ରୀ ଗଲା ଅପସରି
ପ୍ରାତଃ ସ୍ନାନ ସାରି ଯଜ୍ଞ ଆରମ୍ଭିଲେ
ଶୁଭ ବରଷିବ ଝରି ।
ଏମନ୍ତ ସମୟେ ଗୌତମ ବେଶରେ
ପ୍ରବେଶିଲେ ଇନ୍ଦ୍ର ଦେବ
ଅହଲ୍ୟା ସହିତ ରତି ଆରମ୍ଭିଲେ
ରଖି ପ୍ରୀତି ସଦ୍ଭାବ ।
ସହସା ସନ୍ଦେହେ ବାହୁଡ଼ି ଦେଖିଲେ
ଚାଲି ଗଲେ ଇନ୍ଦ୍ର ରାଜା
କ୍ରୋଧେ ଅହଲ୍ୟାକୁ ଅଭିଶାପ ଦେଲେ
ପାଷାଣ ତୋହର ସଜା ।
କାକୁତି ମିନତି କରନ୍ତି ଅହଲ୍ୟା
ନିର୍ଦ୍ଦୋଷକୁ ଦଣ୍ଡ କାହିଁ
ଚିନ୍ତିଣ ଗୌତମ ବୋଲନ୍ତି ବଚନ
ଉଦ୍ଧାରିବେ ରଘୁ ସାଇଁ ।
ବାର ବର୍ଷ ଯାଏ ପାଷାଷୀ ରୂପରେ
ପ୍ରଭୁ ନାମ ଜପୁ ଥାଏ
ଏକଦା ଶ୍ରୀରାମ ପାଦ ସ୍ପର୍ଶ ପାଇ
ପୂର୍ବ ଜନ୍ମ ଫେରି ପାଏ ।
ଭକ୍ତି ବଳେ ଭକ୍ତ ଜୀବନ ଲଭଇ
ଜଗତେ ଜାଣନ୍ତି ଜନେ
ଛାର ଏ ପ୍ରଭାତୀ କି ଅବା ଲେଖିବ
ଧ୍ୟାନ ରହୁ ପ୍ରଭୁ ସ୍ଥାନେ ।
