STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ଅଳ୍ପ ଆତ୍ମୀୟତା

ଅଳ୍ପ ଆତ୍ମୀୟତା

1 min
262


ଭିଜି ଯାଏ ଅମାନିଆଁ ଆଖି ପତା,

ଯେବେ ହଜି ଯାଏ ମମତାର ଖିଅ।

ନିରିମାଖି ଆଖି ବୁଝି ବି ପାରେନା,

ଲହୁ ଝରୁ ଅଛି ଅବା ଝରେ ଲୁହ।।


କେତେ ଅବୁଝା ସତରେ ମରମଟା,

ଯେତେ ବୁଝେଇଲେ ଜମା ବୁଝେ ନାହିଁ।

କେବେ ମିଳେ ନାହିଁ ହଜିବା ସପନ,

ଭଙ୍ଗା କଣ୍ଢେଇ ବି ଯୋଡି ହୁଏ ନାହିଁ।

ତେବେ କାହିଁକି ଅବୁଝା ଛାତି ତଳୁ,

କୋହ ବହି ଯାଏ ହୋଇ ଆଖି ଲୁହ।।


ବୁନ୍ଦେ ବେଦନାକୁ ଚାପି ଧରି ଥିଲି,

ଆଖି କୋଣେ କୋଣେ ସାନ୍ତ୍ୱନା ଘୋଡେଇ।

ନିଃଶବ୍ଦ ଆର୍ତ୍ତ ଚିତ୍କାର କ୍ଷଣେ ସୁପ୍ତ,

କ୍ଷଣେ ନିର୍ଗତ ଧୈର୍ଯ୍ୟକୁ ମୋ ଆଡେଇ।

ନିଜ ଅଧିନେ ନିଜକୁ ବାନ୍ଧିବାର,

ବନ୍ଧ ଭାଙ୍ଗି ଯାଏ, ମର୍ମାହତ ମୋହ।।


ତାଜା ଘାଆ ଅନେଇଛି ଆଖି ମେଲି,

ଝର ଝର ଝରେ ରକତର ଧାର।

ବୁଢ଼ା ଆଙ୍ଗୁଳିରେ ଚାପି ଧରି ରଖେ,

ଶାନ୍ତ ହୋଇଯାଏ ପ୍ରବା ର ସ୍ୱର।

ଲହୁ ମାନିଯାଏ ଦଣ୍ଡେ ମନେଇଲେ,

ମନା ମାନେ ନାହିଁ ଅମାନିଆଁ ଲୁହ।।


ଝାପସା ଝାପସା ଦିଶେ ଚଲାପଥ,

ଯେତେ ଦଳି ମଳି ଆଖି ଚାହିଁଲେ ବି।

ତଥାପି ଜୀବନ ପଥ ଲମ୍ବି ଯାଏ,

ଶୁଭେ ଅଳ୍ପ ଆତ୍ମୀୟତା ଡାକୁଛ କି!

ଫେରି ଚାହିଁବାର ଥିଲା ଅନୁରାଗ ,

ଫେରି ପାରିବିନି ମୁଁ ଅପୋଛା ଲୁହ ।।

**************************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy