ଜୀବନ ଜଞ୍ଜାଳମୟ
ଜୀବନ ଜଞ୍ଜାଳମୟ
ଏକାକୀ ଏଇଠି ବସି ଲେଖୁଅଛି
ତୁମକୁ ମୋ ମନ କଥା,
ଜାଣିବ କେଉଁଠି କେମିତି ରହିଛି
ବୁଝିପାରିବ ମୋ ବ୍ୟଥା ।
ପ୍ରଯୁକ୍ତି ବିଦ୍ୟାର ଅଧ୍ୟୟନ ପରେ
ନିଯୁକ୍ତି ପରୀକ୍ଷା ଦେଇ,
ଆସିଗଲି ଏଇ ବାହାର ରାଜ୍ୟକୁ
କୃତକାର୍ଯ୍ୟ ତହିଁ ହୋଇ ।
କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟ ଦେଲେ ଯାହା
ଦକ୍ଷତାର ସହ କଲି,
ଅନ୍ୟ କର୍ମଚାରୀମାନଙ୍କ ସକାଶେ
ଉଦାହରଣ ମୁଁ ହେଲି ।
ଘର ଲୋକ ସଙ୍ଗେ ବାର୍ତ୍ତା ହେଉଥିଲା
ଭ୍ରାମ୍ୟଭାଷ ଯୋଗେ ମୋର,
ଥରଥର କଣ୍ଠେ ଜଣାଇଲ ଦିନେ
ହେବ ତୁମ ବାହାଘର ।
ଆଉ କିଛିଦିନ ଅପେକ୍ଷା ସକାଶେ
ଅନୁରୋଧ ଯେବେ କଲି,
କହିଲ-ତୁମରି ମାଆଙ୍କର ଦେହ
ଅସୁସ୍ଥ ରହୁଛି ଖାଲି ।
ଆଗାମୀ ତିଥିରେ ହେବ ବାହାଘର
କରିପାରିବିନି ମନା,
ଶୁଣି ଚେଷ୍ଟା କଲି, ଛୁଟି ମିଳିଲାନି
ଭାରିକଷ୍ଟ ତୁମବିନା ।
ବଞ୍ଚିବା ଯେମିତି ପିତା ଲାଗୁଥିଲା
ବୁଝେଇଲେ ଜଣେ ସାଥୀ,
ଧୈର୍ଯ୍ୟ ହରାଅନା ଅମୂଲ୍ୟ ଜୀବନ
ଦେଇଛନ୍ତି ବିଶ୍ୱପତି ।
ଦୁଇ ପରିବାର ସମସ୍ୟା ଘେରରେ
ଯିଏ ଯାହା ଲାଗି ଗଢ଼ା,
ସିଏ ହେବ ତା'ର ଜୀବନର ସଙ୍ଗୀ
ନୁହେଁ ଇଏ ମନ ଗଢ଼ା ।
ସମାଜ ମଙ୍ଗଳ କାର୍ଯ୍ୟେ ମଗ୍ନ ରହ
କାର୍ଯ୍ୟାଳୟ କର୍ମ ସହ,
ତୋ ଲାଗି ଯେ ଥିବ ନିଶ୍ଚୟ ମିଳିବ
ଆଖିରୁ ପୋଛିଦେ ଲୁହ ।
କଥା ମାନି ତା'ର ଆଗକୁ ବଢ଼ିଲି
କରିଲି ଜନଙ୍କ ସେବା,
ସହରର ଏଇ ଗହଳିରେ ଥାଇ
ଶିଖିଲି ଅନ୍ୟକୁ ଦେବା ।
ପରିବାର ଲୋକ କଥା ବି ବୁଝୁଛି
ଜୀବନ ଜଞ୍ଜାଳମୟ,
ସଂକ୍ଷେପରେ କିଛି କହିଲି ବାନ୍ଧବୀ
ତୁମେ ସେଠି ସୁଖେ ଥାଅ ।।