ପୁଣି ଆଜି ଝଗଡା
ପୁଣି ଆଜି ଝଗଡା
ଆଜିର ସୂର୍ଯ୍ୟୋଦୟରେ ନାହିଁ ସେତେ ବେଶୀ ତନ୍ମୟତା
ଗତକାଲି ରାତିରୁ ହିଁ ଦାମ୍ପତ୍ୟରେ ନୂତନ ତିକ୍ତତା
ପ୍ରଶାନ୍ତିର ପିଆଲାରେ ଉକୁଟେ ଅଶାନ୍ତିର ଉଷ୍ମତା
ବୁଝୁଛି ରୁଷ୍ ୟୁକ୍ରେନ୍ କୁ ନେଇ ବିଶ୍ବର ତତ୍ପରତା ।
ସଂପ୍ରୀତି ସଂଘତିରେ ଥିଲା ସହବାସର ସହମତି
ଆବେଗ ଆତ୍ମୀୟତାର କେତେ ଯେ ମହାର୍ଘ୍ୟ ଅନୁଭୂତି
ବଦଳା ସମୟ ସାଥେ ବଦଳେ ସମ୍ପର୍କର ବିଭୂତି
ଆଞ୍ଜୁଳେ ପରିତୃପ୍ତି ପାଇଁ ଅନ୍ତରଙ୍ଗତାର ଆହୂତି ।
ସ୍ବଧର୍ମ ବିସରି ସ୍ବଭାବେ କି ଅନାହୁତ ଚଞ୍ଚୁକତା
ପ୍ରାପ୍ତି କଳାପଟାରେ ଲେଖାହୁଏ କେତେ ଅରାଜକତା
କାମନା ଲତାଟି ମାଡେ ସ୍ବାର୍ଥ ଓ ଈର୍ଷାର ବାଡ ବତା
ସମ୍ପର୍କ ପ୍ରହେଳିକାମୟ...... ସ୍ବପ୍ନ କି ଶାଶ୍ବତ ପୂର୍ଣ୍ଣତା ?
ସ୍ବାଧୀନତାର ଉନ୍ମାଦେ କିବା ଆଧ୍ଯାତ୍ମିକ ଅଧୋଗତି
ସଶକ୍ତିକରଣ ଆହ୍ବାନେ ତ୍ଯାଗ ତୀତିକ୍ଷାର ବିସ୍ମୃତି
ପତ୍ନୀଧର୍ମେ ବୈଦେହିଙ୍କ ସ୍ବତସ୍ଫୂର୍ତ୍ତ ବନବାସ ରାତ୍ରୀ
ପତିଧର୍ମେ କୋଦଣ୍ଡରେ ଦଶାନନ ଇହଧାମୁ ମୁକ୍ତି ।
କ୍ରମଶଃ ସହଜ ହୁଏ ଅନୁରାଗର ହଳେ ଜୀବନ
ଅଭିମାନୀ କୃଷ୍ଣଚୂଡା ଭିଆଏ ଆଞ୍ଜୁଳେ ସମ୍ମୋହନ
ଭଟ୍ଟାପଡେ କ୍ଷୀଣ ଅହଙ୍କାର, ଏ କି ଉନ୍ମୁଖ ମିଳନ?
ପରାଜୟ ପରେ ମଧ୍ଯ ବଞ୍ଚିରହୁ ପ୍ରେମର ସପନ ।
ଅପସରି ଯାଇଛି ସେ ଅଦିନିଆ ଦାମ୍ପତ୍ୟର ଝଡ
ଝାଡି ଝୁଡି ହୋଇ ସଳଖୁଛି ସଂସାରୀର ମେରୁ ହାଡ
ସକାଳ ଚା' ଆଜି ଅଦା ଅଳେଇଚ ମେଳରେ ବେଯୋଡ
ସହଭାଗିତାରେ ମହକେ ଏ ଜୀବନର ଜାମାଯୋଡ ।

