STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଜନମ ବେଦୀରେ ସନ୍ଧ୍ୟା ଦର୍ଶନ

ଜନମ ବେଦୀରେ ସନ୍ଧ୍ୟା ଦର୍ଶନ

1 min
207

  


ଝଟକି ଝଲସେ ଚାରୁ ବଦନ

ରୂପରେ ମୋହିତ ତିନି ଭୁବନ,

ଜନମ ବେଦୀରେ ସନ୍ଧ୍ୟା ଦର୍ଶନ

ଖିଲି ଖିଲି ହସେ ଚକାନୟନ,

ଆଖି ଯାଏ ଲାଖି 

ବାଙ୍କ ଚାହାଁଣୀର ଶ୍ରୀମୁଖ ଦେଖି।୧। 


ରତ୍ନ ସିଂହାସନ ଖୁସି ପାସୋରି,

ଆସିଛନ୍ତି ପ୍ରଭୁ ବିଶ୍ଵ ବିହାରୀ,

ଗୁଣ୍ଡିଚା ମନ୍ଦିରେ ନବ ରାତିରି 

ରହି ସେ ଶୁଣିବେ ଭକ୍ତ ଗୁହାରି,

ଭାବର ଠାକୁର

ଭାବେ ବନ୍ଧା ପରା ତାଙ୍କ ଅନ୍ତର।୨।


ଆଡ଼ପ ମଣ୍ଡପ ଚଳ ଚଞ୍ଚଳ

ପୂଜାରୀ ସେବକ ସଂଜ ସକାଳ,

ପୂଜା ଅର୍ଚ୍ଚନାରେ ଥାଆନ୍ତି ରତ 

ମନ୍ତ୍ର ଧ୍ବନି ମୁଗ୍ଧ କରେ ସତତ,

ଶ୍ରଦ୍ଧାଳୁ ଭକତ

ପ୍ରଭୁଙ୍କ ଦର୍ଶନେ ଯେ ଅଭିଭୂତ।୩।


ମଣ୍ଡପ ଅଭଡ଼ା ପାଇଁ ବ୍ୟାକୁଳ

ମହ ମହ ବାସେ ସାରା ଅଞ୍ଚଳ,

ସେ ଚତୁର୍ଦ୍ଧାମୂର୍ତ୍ତି ଭକତ ମେଳେ 

ଦିଅନ୍ତି ଆଶିଷ ଢାଳି ସକଳେ,

ଦୟାମୟ ପ୍ରଭୁ 

ତାଙ୍କ ପାଶେ ସଦା ଭକତି ଥାଉ।୪।


ଦାରୁବ୍ରହ୍ମ ରୂପେ ଏଠି ଶ୍ରୀହରି 

ବିଶ୍ଵକର୍ମା ହାତେ ହେଲେ ତିଆରି,

ବିଗ୍ରହ ସ୍ଵରୂପ ନେଇ ମହିମ

ପ୍ରକାଶିଲେ ବ୍ରହ୍ମ ହୋଇ ଜନମ,

ସେ କଥାକୁ ଭାବି

ଏ ସ୍ଥାନର ନାମ ଜନମ ବେଦୀ।୫।


ଆଷାଢ଼ ମାସର ଶୁକ୍ଳ ତିଥିରେ

ଦ୍ଵିତୀୟା ଠାରୁ ଯେ ଦଶମୀ ଯାଏ,

ମହାପ୍ରଭୁ ଥା'ନ୍ତି ଏ ମଣ୍ଡପରେ

ଦର୍ଶନେ ଭକତ ପବିତ୍ର ହୁଏ,

କଲେ ସେ କଲ୍ୟାଣ 

ମନରୁ ଦୁଃଚିନ୍ତା ହୁଅଇ ଲୀନ।୬।


ଜନମ ବେଦୀରେ ସନ୍ଧ୍ୟା ଦର୍ଶନ

କଲେ ପୁଣ୍ୟ ମିଳେ ଯେ ଦଶ ଗୁଣ,

ଧନ୍ୟ ମଣେ ଭକ୍ତ ତାର ଜୀବନ

ଖିଲି ଖିଲି ହସେ ଚକାନୟନ,

ତା' ପାଦେ ପ୍ରଣାମ 

କରି ସୁଖ ମିଳୁ ସାରା ଜନମ।୭।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract