ଛଟପଟ ଅଲିଅଳି
ଛଟପଟ ଅଲିଅଳି
ଅକାଳରେ ଲିଭେ ଜୀବନ ଦୀପାଳୀ
ଛଟପଟ ଅଲିଅଳି
ନାଲି ସିନ୍ଦୁରର ଦାଗ ମହଳଣେ
ଦେହେ ରକ୍ତ ଛିଟା ବୋଳି। (୧)
ଯୌତୁକ ବ୍ୟାଧିର ଉତ୍କଟ ପୀଡାରେ
କେଳା ହାତେ ନାଚେ ପ୍ରାଣୀ
ଯୌତୁକ ରାକ୍ଷସ କ୍ରୁର ଆକ୍ରମଣେ
ଭୋଗୁଛି ଆଜି ଭଗିନୀ। (୨)
ତମସା ହଟାଏ ଆଲୋକ ରୋଷଣେ
ଲଭେ ଦିବା ଉଜ୍ଜ୍ୱଳତା
ସ୍ନେହ ପ୍ରୀତି ମାୟା ଅପସରି ଯାଇ
ବଢେ ଅର୍ଥ ସର୍ବସ୍ୱତା। (୩)
ଅତୀତ ଆଲୋକ କନ୍ୟାଦାନ ପ୍ରଥା
ଦେବ ରୂପେ ବରେ ବର
ଧାତୁ ଧେନୁ ଭୂମି ଦ୍ରବ୍ୟ ଦାନ କରି
ସ୍ନେହେ-ପ୍ରେମେ ବାନ୍ଧେ ଡୋର। (୪)
ନବୀନ ଦାମ୍ପତ୍ୟ ସୁଖ ସୁବାସିତ
କ୍ଷଣକେ ହୋଇ ମଳିନ
ହାତ ଗଣ୍ଠିଟାକୁ ଧନ ଗଣ୍ଠିଲିଟା
କରଇରେ ଛିନ୍ନଭିନ୍ନ। (୫)
ଅଳୀକ ବସ୍ତୁର ଭେଳିକିରେ କାଳ
ଜୀବନଟା ବିକଳାଙ୍ଗ
ଯୌତୁକ ରୋଗର ଆରୋଗ୍ୟ ନିଦାନ
ଲୋଡା ସର୍ବ ସହଯୋଗ। (୬)
