ମାଆ
ମାଆ
ଜହ୍ନର ଜୋଛନା ଯେତିକି ହିମାଳ
ତା' ସାତସିଆଁ କାନି ତା'ଠୁ ଶୀତଳ ।
ରୋଗ ବଇରାଗେ ଓଷ ଓ ନିଦାନ
ତା' ପରଶ ସଙ୍ଗେ ନୁହେଁ କେ ସମାନ ।
ଯେତେ ଖାଇଲେ ବି ଲାଗେନା ସୁଆଦ
ଖଟ ପଲଙ୍କରେ ଆସେନା ତ ନିଦ ।
ମନେ ପଡେ ତାର ଶାଗ ଓ ପଖାଳ
ଶେଯ ପାଲଟା ତା ଝୁଲଣାର କୋଳ ।
କୋଟିଏ ମଣିଷ ଦୁନିଆରେ ସିନା
ଏକା ଏକା ଲାଗେ ତା ମମତା ବିନା ।
ଡାକିଦେଲେ ମୋତେ ବାଇଆର ଧନ
ତୁଚ୍ଛ ହୋଇଯାଏ ରାଜର ଆସନ ।
ଏନ୍ତୁଡିରୁ ଜୁଇ ଗଣିଲେ ସେ ଦିନ
ସରେନା ମମତା ପୁରେନା ମୋ ମନ ।
ଆପଦେ ବିପଦେ ବନ୍ଧୁ ସଖା ସିନା
ସରେ ନାହିଁ ଦୁଃଖ ତା ପଣତ ବିନା ।
ଥିଲେ ଥାଉ ପଛେ ଅମାପର ଧନ
କେହି ନୁହେଁ ସରି ମାଆର ସମାନ।
