ମୁଠାଏ ଭାତ
ମୁଠାଏ ଭାତ
ଅଝଟ କରେ ଧନ ମୋହର
ମୁଠାଏ ଭାତ ପାଇଁ
ଅଭାଗିନୀ ମୁଁ ମାଆ ହୋଇକି
ଖୁଆଇ ପାରୁନାହିଁ ।
ସୁଖ ଦୁଃଖର ସାଥି ମୋ ସ୍ୱାମୀ
ଆଶା ଭରସା ଥିଲେ
ନିଷ୍ଠୁର ଭାଗ୍ୟ ସାଜିଲା କାଳ
ଅଜଣା ରାଜ୍ୟ ଗଲେ ।
ଏକାକିନୀ ମୁଁ ବୋଝ ବୋହିବି
କରିଲି ଟାଣପଣ
କୋଡ଼ି କୋଦାଳ ଧରିଲି ହାତେ
ଦୃଢ଼ କରି ମୋ ମନ ।
କୁଆଡୁ ଥିଲା କରୋନା ରୋଗ
ସାଜିଲା ମୋତେ ଦାଉ
କାମ ପତର ବନ୍ଦ ହୋଇଲା
ମିଳେନା ଖୁଦ ଯାଉ ।
ଘରୁ ବାହାର ହୋଇଲେ ସର୍ବେ
ରୋଗ ହୋଇବ କାଳ
ଘର ଭିତରେ ଦାନା କେ ଦେବ
ଶୂନ୍ୟ ମୋ ହାଣ୍ଡିଶାଳ ।
ଭୋକ ଶୋଷରେ ଜଳୁଛି ପେଟ
ନୀରବେ ସହିଯାଏ
ଏକୋଇବଳା ବିଶିକେଶନ
ଭାତ ମୁଠିଏ ଚାହେଁ ।
କଅଁଳା ଶିଶୁ ସହିପାରେନା
ଫାଟି ଯାଉଛି ଛାତି
କିଏ ସେ ଭାତ ମୁଠାଏ ଦିଅ
ମାଗୁଛି ହାତପାତି ।
ଭଗବାନଙ୍କ ବିଚିତ୍ର ଲୀଳା
କା' ପାଶେ ସୁନାଚାନ୍ଦି
କିଏ ଅଭାଗା ଭୋଗେ କଷଣ
ଭାଗ୍ୟକୁ ନିତି ନିନ୍ଦି ।
ବଳକା ଖାଦ୍ୟ ଫୋଫାଡେ କିଏ
ଅଦରକାରୀ ଭାଳି
ମୋ ପରି ଦୁଃଖୀ ମୁଠାଏ ଭାତ
ମାଗୁଛି ଲୁହ ଢାଳି ।
ଦୟା କର ହେ ଦୟାସାଗର
ଭାତ ମୁଠାଏ ପାଇଁ
ବାସି ପଖାଳ ଯାହା ବି ହେଉ
ଆପତ୍ତି ଜମା ନାହିଁ ।
ଧନର ପେଟ ପୁରିଲେ ତା'ର
ଓଠେ ଖେଳିବ ହସ
ତା ହସେ ମୋର ପେଟ ପୁରିବ
ଭୁଲିବି ଭୋକ ଶୋଷ ।