ଜୟ ମା ଭବାନୀ
ଜୟ ମା ଭବାନୀ
କେଉଁ ନାମ ଧରି ଡାକିବି ତୋତେ ମା
ତୁହି ତ ସବୁରି ସାହା
ଗଉରୀ ଅପର୍ଣ୍ଣା ମା ସିଂହବାହିନୀ
ତୋ ବିନା ଦିଶେନା ରାହା ।
ମୁଁ ତୋହର ଅଟେ ଅବୋଧ ସନ୍ତାନ
ତୁହି ମୋର ସଦାଗତି
ତୋର ପଥ ଚାହିଁ ଦିନ ବିତୁ ଥାଇ
ରଖ ମା ଗୋ କାଳରାତ୍ରୀ ।
ବିମଳା ନାମକୁ ହୃଦୟେ ସ୍ମରିଲେ
ଭୟ ତ୍ରାସ ହୁଏ ଦୂର
ରତ୍ନପ୍ରିୟା ମା ଗୋ ହିରଣ୍ୟମୟୀ ଲୋ
କି ଦେବି ମୁଁ ଉପହାର ।
ଅନେକ ବର୍ଣ୍ଣା ତୁ ଚପଳା ଯେସନେ
କ୍ଷଣିକରେ ଆସୁ ଧାଇଁ
ପଣତ ଘୋଡାଇ ରଖି ଥାଉ ତୁହି
ଭକତ ବିପତ୍ତି ଚାହିଁ ।
ଅପୁତ୍ରିକ କୋଳେ ସୁନ୍ଦର ସୁପୁତ୍ର
ତୋର କଲ୍ୟାଣକୁ ପାଇ
ସର୍ବବିଦ୍ୟା ବୋଲି ଡାକ ଦେଲେ ଥରେ
ଅଜ୍ଞାନ ପଣ୍ଡିତ ହୋଇ ।
ନାରାୟଣୀ ନାମ ତୁଣ୍ଡରେ ଧରିଲେ
ଯାତ୍ରା ହୁଅଇ ସଫଳ
ତୁହି ମୁକ୍ତାକେଶୀ ଶକ୍ତି ପ୍ରଦାୟିନୀ
ସକଳ ଜନର ବଳ ।
ଅର୍ଦ୍ଧ ନିଶାକାଳେ ଭକତ ଆକୁଳେ
ଭବାନୀ ନାମକୁ ଧରେ
ହେ କରୁଣାମୟୀ ପିନାକଧାରିଣୀ
ନିମିଷକେ ଦୁଃଖ ସରେ ।
ଚଉଦିଗେ ତୋର ଶକ୍ତିର ଫୁଆର
ଜଳ ସ୍ଥଳ କିବା ବ୍ୟୋମ
ମଙ୍ଗଳମୟୀ ଲୋ ତୋ ବିନା ଏ ଧରା
ସତେ ମରୁ ବାଲି ସମ ।
ଦେବ ସୁର ଦେବ ଯା ନାମକୁ ଧରି
ବିପଦରୁ ହେଲେ ମୁକ୍ତ
ମୁହିଁ ମୁଢ ମତି କି ଦେଇ ତୋଷିବି
ହେବା ପାଇଁ ତୋର ଭକ୍ତ ।
ଏତିକି ମାଗୁଣି ତୋର ପାଦ ତଳେ
ସର୍ବଦା ଥିବୁ ଲୋ ପାଶେ
ତୁହି ଥିଲେ ସାଥେ ସବୁ ସୁଖ ମୋର
ନିତି ଜହ୍ନ ରାତି ଆସେ ।
