ଅଭାଗା ମଣିଷ
ଅଭାଗା ମଣିଷ
ହାଏ !! କେଡ଼େ ଅଭାଗା ସେ ମଣିଷ
ସୁଖତକ କଥା ଛାଡ଼, ତା' ଭାଗର
ଦୁଃଖ ବି ତା'ର ନୁହଁ ।
ଅସଂଖ୍ୟ ଦୁଃଖ ଯନ୍ତ୍ରଣାର ଲହଡ଼ି
ବୁକୁ ତଳେ, ତଥାପି ସ୍ଥିତପ୍ରଜ୍ଞ ପ୍ରଶାନ୍ତ
ମହାସାଗର ପରି ସ୍ଥିର, ନିଶ୍ଚଳ,
ଆଖି ହଳେ;
ତାକୁ କେବେ କେହି ଭାଙ୍ଗିପଡ଼ିବା କିମ୍ବା
ଅସହିଷ୍ଣୁ ହେବାର ଦେଖିନାହିଁ,
ସେ ଭାଙ୍ଗି ପଡ଼ିଲେ, ଦେଶ ଗଢ଼ିବା ଅସମ୍ଭବ
ସଭ୍ୟତା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯିବ ।
ସେ ଦରପୋଡ଼ା ପିଠିରେ ବି
ଦମ୍ଭେ, ସୂର୍ଯ୍ୟକୁ ଅଟକେଇ ଦେଇପାରେ
କିଛି କ୍ଷଣ, ସେ ବାତ୍ୟାର ପଥରେ ପାହାଡ଼ ଭଳି
ସଜେଇ ଦେଇ ପାରେ, ଜରାଜୀର୍ଣ୍ଣ ଶରୀର ଓ ସୁଦୃଢ଼ ମନ,
ତଥାପି,
ତା' ଭାଗ୍ୟାକାଶେ ସୁଖସୂର୍ଯ୍ୟ ପଥହୁଡ଼ା
ନିରବଦ୍ରଷ୍ଟା ସାଜେ ସମୟ, ଆଉ ପକ୍ଷୀମାନେ ବି
ଉଡ଼ିଯାନ୍ତି, ନୀଡ଼ ଛାଡ଼ି ।
ସତରେ କ'ଣ
ଏମିତି ବି ମଣିଷ
ଅଛନ୍ତି ଏ ଦୁନିଆରେ, ଯିଏ
ଦୁଃଖକୁ, ଯନ୍ତ୍ରଣାକୁ, ଅସହାୟତାକୁ
ଚିର ସହଚର, ଚିରସହାଯାତ୍ରୀ କରି ପାରେ;
ଏମିତି ଅଲୋଡ଼ା, ଅବହେଳିତ ଦୁନିଆର ମଣିଷକୁ
କ'ଣ କେହି ପସନ୍ଦ କରିଲେଣି ନା ଆଗକୁ କରିବେ ?
ତଥାପି
ତା' ଅଭାଗାପଣ ହିଁ ତା' ପାଇଁ
ଆକାଶ, ଆଉ ଅବହେଳା, ତା'
ପାଦ ତଳ ପୃଥିବୀ;
ଏ ଆକାଶ ଆଉ ପୃଥିବୀକୁ ଛାଡି
କେହି କଣ ବଞ୍ଚିପାରେ ?