ସ୍ତୁତି ମୃଗୁଣୀ
ସ୍ତୁତି ମୃଗୁଣୀ
ସୁବାହୁ ଭାରତଖଣ୍ଡ ଘୋରବନ
ସହସ୍ର ଯୋଜନ
ନିତ୍ୟ ଚିରନ୍ତନ ଭୂମି ସେ କୈଳାସପୁର
ସତ୍ୟ ଶିବ ସ୍ୱଚ୍ଛନ୍ଦ ସୁନ୍ଦର
ବିହାର କରନ୍ତି ଯହିଁ ମହାଦେବୀ ପାର୍ବତୀ
ମହାପ୍ରଭୁ ସ୍ୱୟଂ ଦିଗପାଳ
ଈଶାନ ଈଶ୍ୱର ।
ମୃଗୁଣୀ ତାରାବତୀ ନିରୀହା ଜନତା
ଅନ୍ତସତ୍ତ୍ୱ। ମଧ୍ୟ ,
ଘେନି ବେନି ବାଳୁତନନ୍ଦନ
ବିଚରଇ କ୍ଷୁଧାର ବିକଳେ
ସ୍ମରୁଥାଏ ଅହରହ
ଇଷ୍ଟ ପ୍ରଭୁ ନାମ ।
ବିରୁପାକ୍ଷ ବ୍ୟାଧ ଆଜନ୍ମ ପ୍ରଲୁବ୍ଧ
ଚଉପାଶେ ପାତିଅଛି ଜାଲବାଡ
ନିରନ୍ଧ୍ର ନିବୁଜ,
ପଶ୍ଚାତରେ ବହ୍ନି ଲେଲିହାନ,
ବାମେ ଶ୍ୱାନ ମାରାତ୍ମକ ସମ୍ମୁଖରୁ
ଜଗିଛି ବ୍ୟାଧ ହସ୍ତେ ତାର
ତୀକ୍ଷ୍ଣ ଧନୁର୍ବାଣ ।
ସନ୍ତାପରେ ବିଳପେ ମୃଗୁଣୀ
ଅନ୍ୟ ଗତି ନାହିଁ ,
ଅଳସ ତା ପାଦଗତି ମୂର୍ଚ୍ଛା ପ୍ରାୟ
ଅନ୍ଧକାର ଦଶଦିଶ ପ୍ରାଣ ରକ୍ଷା
ଉପାୟ ତ ନାହିଁ ,
ପୁକାରେ ସେ ଘନଘନ ରଖ ରଖ
ଆର୍ତ୍ତତ୍ରାଣ ହେ ମଧୁସୂଦନ,
ମୋ ଶାବକ ଭ୍ରୁଣ ରକ୍ଷା ଜୀବନ
ମୁକତି ପାଇଁ ପାଦପଦ୍ମେ
ଦିଅ ହେ ଶରଣ, ନିରୂପାୟ
ମୋର ନାହିଁ ଗତି କିଛି ଆନ ।
ଭାଜିଗଲା ଯୋଗନିଦ୍ରା ମହାବିଷ୍ଣୁଙ୍କର
ବୈକୁଣ୍ଠ ବି ହେଲା କମ୍ପମାନ,
ବର୍ଷିଲେ ଚାରିମେଘ ଇନ୍ଦ୍ର ଦେବ
ପ୍ରଭୁଙ୍କ ଆଜ୍ଞା ରେ,
ଛିଣ୍ଡିଗଲା ଜାଲମାନ ଅଣଚାଶ
ପବନ ପ୍ରଳୟେ,
ବଜ୍ରପାତେ ଶ୍ୱାନ ମଲା
ଶବରକୁ ଉରଗ ଗିଳିଲା,
ଦୟାକଲେ ଦୀନବନ୍ଧୁ ମୃଗୁଣୀ ର
ବିପତ୍ତି ଟଳିଲା ।
ଜନତା ବି ପ୍ରପୀଡ଼ିତ ମୃଗୁଣୀ ର ପ୍ରାୟ
ଡାକୁଅଛି ତ୍ରାହି ତ୍ରାହି
ଅସରନ୍ତି ମହାମାରୀ
ରୋଗ ଦୁଃଖ ବ୍ୟଥା ,
ମଳିନ ମୁଖମଣ୍ଡଳ ତା କଣ୍ଠରୁ
ନ ସ୍ଫୁରଇ କଥା ,
ଛକିଅଛି ପ୍ରଚ୍ଛନ୍ନ ରେ ଘେରି ଦଶଦିଶ
ଝୁଣି ଝୁଣି ଖାଉଛି ତା ହାଡ଼ ଆଉ ମାଂସ
ଅସହାୟ ଜୀବନ ଜୀବିକା
ବିଷ ବଳୟୁ ଉଦ୍ଧର
ପ୍ରଭୁ ଜଗଦୀଶ ।
ସାହା ପ୍ରଭୁ ପତିତ ପାବନ
ଦୟାକର ଚକ୍ରଧର କର ପରିତ୍ରାଣ ,
ନାଶ ହେଉ ଅଗତି ଦୁର୍ଗତି
ଧ୍ୱଂସ ହେଉ ମ୍ଳେଚ୍ଛ ରେ -ରେ-କାର,
ଛିଡିଯାଉ କପଟର ଦୁର୍ବିସହ
ସବୁ ମାୟାଜାଲ ।
ବିଷ୍ଣୁ ପୁରାଣ ବର୍ଣ୍ଣିତ ମୃଗୁଣୀ ବୃତ୍ତାନ୍ତ
ମନଦେଇ ଶୁଣିଥିଲେ ରାଜା ପରୀକ୍ଷିତ
ଶୁଣୁଛୁ ବି କି୦କର୍ତ୍ତବ୍ଯ ଆମ୍ଭେ ଅରକ୍ଷିତ,
ରଖିଲେ ରଖ ବା ମାର
ଆମ୍ଭେ ଟେକିଦେଲୁ ହାତ,
ଘୋର ପାପ କର ଅନ୍ତ ହେ
ଜଗନ୍ନାଥ ।
ଇତି ଶ୍ରୀ ଶୁକ ଉବାଚ ।