ରିକ୍ସାବାଲା
ରିକ୍ସାବାଲା
ଅନୁଭବ କେହି କରିଛକି କେବେ
ରିକ୍ସାବାଲା ମନ କଥା ,
ମୃତ ସ୍ୱପ୍ନ ନେଇ ଜିଇଁ ରହିଥିବା
ଆହତ ପ୍ରାଣର ବ୍ୟଥା ।
ଡହକ ଖରାରେ ରିକ୍ସା ଚାଳକର
ଦେହ ଭିତର ଉତ୍ତାପ ,
ଏଇ ଅଛି ପୁଣି ଏଇ ନାହିଁ ସେଇ
ନିଲଠା ଜୀବନ ସନ୍ତାପ ।
ଶୁଣିଛକି କେବେ ଦୁଇ ଓଠ ଫାଙ୍କେ
ଖୁଁ ,ଖୁଁ କାଶର ସେ' ଶବ୍ଦ ।
ରିକ୍ସା ଟାଣୁଥିବା ଟାଣପଣରେ ସେ'
ଅଣଦେଖା ପ୍ରତିହତ ।
ରାସ୍ତାର ବିଜୁଳି ଆଲୁଅ ନଥିଲେ
ଟାଣିବାର ବିବଶତା ,
ଝାଳ ଜୁଡୁ ସୁଡୁ ଫୁଙ୍ଗୁଳା ଦେହର
ଲହୁ ଭିଜା ମାର୍ମିକତା ।
ବାବୁଭାୟାଙ୍କର ମହାର୍ଘ୍ୟ ଦାନର
ପାଉଣା ଟିକକ ପାଇଁ ,
ସ୍ଵେଦାକ୍ତ ମୁହଁକୁ ଗାମୁଛାରେ ପୋଛି
ହାତପାତେ ମୁଣ୍ଡ ନଇଁ ।
ପାଦର ଦରଜ ପାଦ ତଳେ ଚାପି
ରକ୍ତକୁ ପାଣି ଫଟେଇ ,
ଜାଗାରୁ ଜାଗାକୁ ପହଞ୍ଚାଏ ସିଏ
ରିକ୍ସା ଟାଣି ଟାଣି ନେଇ ।
ଅନୁଭବ ତୁମେ କରିଛ କି କେବେ
ରିକ୍ସାରେ ବସିବା ବେଳେ ,
ଅକାଳେ ଅପଙ୍ଗ ହୋଇଯିବ କେବେ
ଜୀବନର ଅନ୍ତରାଳେ ।
ଦରଲିଭା ବିଡ଼ି ଆଲୁଅର ପରି
ରିକ୍ସାବାଲାର ଜୀବନ ,
ବଞ୍ଚିବାର ରାହା ଖୋଜି ଖୋଜି ଦିନେ
ଝରିଯାଏ ତା'ର ପ୍ରାଣ ।
