ଅସ୍ପଷ୍ଟ ରଙ୍ଗ
ଅସ୍ପଷ୍ଟ ରଙ୍ଗ
କିଏ କହିଲା ସୌନ୍ଦର୍ଯ୍ୟ
କେବଳ ଆଖିରେ ଥାଏ ବୋଲି
ନିବୁଜ ନୟନର କଣ କିଛି ସଂଜ୍ଞା ନାହିଁ
ହେଇ ପାରେ ସେ କଳା ମୋତିକୁ
ଖୋଜି ପାଇବା ବୋଧେ ମୋ ଅକ୍ତିଆରରେ ନାହିଁ
କିଏ କହିଲା ଅସଂପୂର୍ଣ୍ଣ ଚେହେରାରେ
ପ୍ରତି ଛବି ଆଙ୍କି ହୁଏନା ବୋଲି
ସ୍ପଷ୍ଟ ବ୍ୟାକରଣର କଣ ସନ୍ଧିବିଛେଦ ନାହିଁ
ହେଇ ପାରେ ଆଦିଗନ୍ତ ବ୍ୟାପ୍ତ ଗଗନର ପରିମାପ
ମୋ କଳ୍ପନାରେ ନାହିଁ
କିଏ କହିଲା ଅର୍ଦ୍ଧ ଅଧରରେ
ହସ ଖେଳେନାହିଁ ବୋଲି
ଜହ୍ନର ଜ୍ୟୋତ୍ସ୍ନା କଣ କଇଁରେ ପଡେ ନାହିଁ
ହେଇପାରେ ସେ କଇଁକୁ ଚିହ୍ନିବାର
ସାମର୍ଥ୍ୟ ମୋ ପାଖରେ ନାହିଁ
କିଏ କହିଲା ଗୋଲାପ ଦେହରେ
ରକ୍ତ ନାହିଁ ବୋଲି
ସେ ରକ୍ତ ପାଖରେ ପହଞ୍ଚିବା ପାଇଁ
କଣ କଣ୍ଟାର ଆଘାତ ଲାଗେ ନାହିଁ
ହେଇପାରେ ସେ ଗୋଲାପକୁ ଧରିବାର
ପରିପକ୍ୱ ମୋର ନାହିଁ
କିଏ କହିଲା ସିନ୍ଥିରେ କେବଳ
ସିନ୍ଦୂର ଶୋଭା ଦିଏ ବୋଲି
ଅଗଣାର ତୁଳସୀ କଣ
ମନରେ ପବିତ୍ରତା ଦିଏ ନାହିଁ
ହେଇ ପାରେ ସେ ମଥାର ଟିକିଲି ପାଇଁ
ମୋ ପାଖେ ସଂଜ୍ଞା ନାହିଁ
କିଏ କହିଲା ଝୁମୁକା
କାନ ନାମକ ଚଢେଇର ଡେଣା ବୋଲି
ଲହଡି କଣ ମରୁଭୂମିର
ପାଦ ସ୍ପର୍ଶ କରେ ନାହିଁ
ହେଇ ପାରେ ଅମାବାସ୍ୟାରେ ଜହ୍ନକୁ ଦେଖିବା
ମୋ କ୍ଷମତାରେ ନାହିଁ
କିଏ କହିଲା ସବୁ ଅଡୁଆ କେଶ
ମନ ଲୋଭେ ନାହିଁ ବୋଲି
ଶିଆଳି ଲଟାର କଅଁଳ ପତ୍ରରେ କଣ
ଫୁଲ ଫୁଟେ ନାହିଁ
ହେଇ ପାରେ ମୃଗ ଭାବି କୃଷ୍ଣ ପାଦ
ଛୁଇଁବାର ସତ୍ ସାହସ
ମୁଁ କରି ପାରେ ନାହିଁ
କିଏ କହିଲା ଏତେ ବର୍ଣ୍ଣନା ସମ୍ପୂର୍ଣ୍ଣ ବୋଲି
ହେଲେ ଭାବନା ରାସ୍ତାରେ କଣ
କିଏ ଝୁଣ୍ଟି ପଡେ ନାହିଁ
ହେଇ ପାରେ
ଲାଜୁଆ ହସ, ନିମ୍ନଗାମୀ ନୟନ ଆଉ ଗୋଲାପି ଅଧରର ସ୍ପଷ୍ଟୀକରଣ
ମୁଁ କରିପାରେ ନାହିଁ