ଆକାଂକ୍ଷିତ ଅଶରୀରୀ
ଆକାଂକ୍ଷିତ ଅଶରୀରୀ
ହେ ମାନବ ମୋର
ଛୋଟ ନିବେଦନ
ଦେବ କି ଟିକିଏ ରଙ୍ଗ
ଆଖିର ସପନ
ଆଖିରେ ମାରି ମୁଁ
ଛାଡେ ପତି ସ୍ନେହ ସଙ୍ଗ ।
ନିଃସହାୟ ପିତା
ବିନା ଯଉତୁକେ
ବାହା ଦେଲେ ଧନୀ ଘରେ
ଜାଣିତ ନଥିଲି
ଶୋଷିତ ହୋଇବି
ଲୋଭୀ ମଣିଷର ପୁରେ ।
ଆଶା ଯେବେ ତାଙ୍କ
ପୂର୍ଣ୍ଣ ନହୋଇଲା
ଅତ୍ୟାଚାରୀ ରୂପ ନେଇ
ହୋଲି ପର୍ବ ଦିନ
ସଂଯୋଗିଲେ ଅଗ୍ନି
ଯେହ୍ନେ ହୋଲିକାର ଦେହୀ ।
ସବୁ ରଙ୍ଗ ମୋର
ଜଳି ଜଳି ଉଠି
କରିଲା ଆର୍ତ୍ତ ଚିତ୍କାର
ଧ୍ୱସ୍ତ କରିବାକୁ
ବଳ ପୂର୍ବକରେ
ବାନ୍ଧିଲେ ମୁଖ ପୟର ।
ଜାୟା ଭଗ୍ନୀ ନାରୀ
ଏହି ମୋର ଶିରୀ
ଇଜ୍ଜତ ମୋର ନିରବ
ଅଶରୀରୀ ହୋଇ
ଚିନ୍ତେନା ମୁଁ ପାପ
ଚାହେଁ ମୁଁ ଫଗୁଣେ ଭାବ ।
ମହ ସହ ବାସେ
ବକୁଳ ମୁକୁଳ
ଶୁଣେ ମୁଁ କୋକିଳ ସ୍ଵର
କଦମ୍ବ ବନର କନ୍ଦୁକର ଶୋଭା
ଦିଶେ କେଡ଼େ ମନୋହର ।
ପେନ୍ଥା ପେନ୍ଥା ଝୁଲି
କୃଷ୍ଣଚୁଡ଼ା ପୁଷ୍ପ
ସାଜେ ବସନ୍ତେ ତୋରଣ
ଅଧା ଆକାଶରେ
ଝୁଲି ମୁଁ ବାହୁନେ
କରି ଜୀବନରେ ରଣ ।