ପାହାଡ ଛାତିରେ ନିଆଁ
ପାହାଡ ଛାତିରେ ନିଆଁ
କିଏସେ ସିଏରେ ପାହାଡ ଛାତିରେ
ଲଗାଇଦେଇଛି ନିଆଁ
ଶୀତଳ ପବନ ବାଟ ଉଗାଳୁଛି
ଶୁଖିଲା ପତର ଧୂଆଁ
ଅବୁଝା ମଣିଷ ଅବୁଝା ପଣରେ
ଗଛ ଲତା ଯାଏ ଜଳି
ଜୀବନ ହରାନ୍ତି କେତେ ଜୀବ ଜନ୍ତୁ
ନିଆଁ ଯାଏ ତାଙ୍କୁ ଗିଳି
ଆଖି ପିଛୁଳାକେ ସବୁଜ ମୂଲକ
ପାଲଟେ ଧୁସର ମାଟି
ପାଉଁଶ ଗଦାରେ ନିରୀହ ଜୀବନ
ନିମିଶେ ପଡନ୍ତି ଲୋଟି
ଏମିତି ବଣକୁ ଉଜାଡି ଦେଲେରେ
ଖରାକୁ ହେବନି ସହି
ଖରା ଚାରି ମାସ ଡହଳ ବିକଳ
ସପନ ହୋଇବ ଛାଇ
ଗଛ ଗଲେ ଜଳି ପାହାଡ ଛାତିରେ
ପଥର ହେଇବ ରାଜା
ତତଲା ପବନ ବହିବ ନିଇତି
ମଣିଷକୁ ଦେଇ ସଜା
କିଏ ଲିଭାଇବ ଏ ଦାବାନଳକୁ
କାହୁଁବା ଆସିବ ପାଣି ?
ଏମିତି ଅବେଳେ ବଣକୁ ଭରଷା
ଏକା ସେ ବରଷା ରାଣୀ ।