ସମୁଦ୍ର ଆସୁଛି ମାଡ଼ି
ସମୁଦ୍ର ଆସୁଛି ମାଡ଼ି
ଅସୀମ ଅନନ୍ତ ଅଗାଧ ଅମ୍ବୁଧି
ପ୍ରକୃତିର ଉପହାର
ପରହିତ ପାଇଁ ସଦା ଉତ୍ସର୍ଗୀତ
ନାମ ପୁଣି ରତ୍ନାକର ।
ଅମୂଲ୍ୟ ପଦାର୍ଥ ହୀରା ମଣି ମୁକ୍ତା
ଗଚ୍ଛିତ ଯାହାର ଗର୍ଭେ
ଆଜି ସେ କାହିଁକି ମନୁଷ୍ୟ ସମ୍ମୁଖେ
ଚିନ୍ତିତ ପରାଣେ ଭାବେ ।
ହେ ମାନବ ତୁମ ସ୍ଵଭାବ ଚରିତ୍ର
ଯନ୍ତ୍ରଣା ଦେଉଛି ମୋତେ
ପ୍ରଦୂଷଣ ଭରି ଜୀବନକୁ ମୋର
ଭସାଇଲ ଦୁଃଖ ସ୍ରୋତେ ।
ହିମ ପରବତ ପ୍ରକ୍ଷାଳନ ବଢି
ଭଗ୍ନ କରେ ଧର୍ଯ୍ୟ ବଳ
ସୀମା ରେଖା ମୋର ସୁଦୀର୍ଘ ପ୍ରସାରେ
ଏଥିରେ ନାହିଁ ମୋ ଛଳ ।
କେତେ କଲ୍ଲୋଳିନୀ ସମାହିତ ହୁଏ
ଆନନ୍ଦ କଲ୍ଲୋଳେ ମାତି
ଧାରା ଶ୍ରାବଣର ପ୍ରଖର ସ୍ରୋତକୁ
ନଥାଏ ମୋ ମନେ ଭୀତି ।
ସାଗର ତ କେବେ କାହା ଉପହାର
ଗ୍ରହଣ କରେନା ଆସି
ମିଛେ କାହିଁ ପାଇଁ ଦୋଷାରୋପ କର
ସମୁଦ୍ର ଆସୁଛି ହସି ।
କାନନ ଅରଣ୍ୟ ମୂଳତ୍ପୋଟନ କରି
ଉତ୍ତତ୍ପେ ଭରିଲ ଧରା
ବାଷ୍ପୀଭୂତ ହୋଇ ଦୁନ୍ଦୁଭି ବଜାଏ
ହିମଗିରି ଶୁଣେ ନାରା ।
ଅସହ୍ୟ ବେଦନା ଜାଳି ଦେଲା ସିନା
ଅନ୍ତର ଶୀତଳ ଭାବ
ସେହି ବ୍ୟଥା ପାଇଁ ମୋର ଏ ଦୁର୍ଦ୍ଦଶା
କିଏ ବୁଝେ କ୍ଷତି ଲାଭ ।
ସୌନ୍ଦର୍ଯ୍ୟରେ ଭରା ବେଳାଭୂମି ମୋର
ସ୍ତର ସ୍ତର ବାଲୁ ରେଖା
ମନୋରମ ତା'ର ଚୋରି କରେ ଚୋର
କିଏ ସେ କରୁଛି ରକ୍ଷା ।
ପାଦ ତଳୁ ଯେବେ ଧୋଇ ହୋଇ ଯାଏ
ଜୀବନର ପୃଷ୍ଠ ଭୂମି
ମନେ ଖେଳି ଯାଏ ଅଜସ୍ର ବିରହ
ଚଉଦିଗ ହୁଏ ଭ୍ରମି ।
ଆତଙ୍କରେ ଯେବେ ନିଜକୁ ନଦେଖି
ଅସ୍ଥିର ବରଣ କର
ତୁମ ଆକ୍ରୋଶକୁ ମଥା ପାତି ସହି
ବୁଲେ ମୁଁ ଗ୍ରାମ ସହର ।
