ଚିଠି
ଚିଠି
ଚିଠିଟିଏ ମୁହିଁ ଲେଖୁଚି ଇଶ୍ୱର
ଲହୁରେ ମୋହର ଆଜି,
ଜାଣେନି ମୋହର ଚିଠିପାଇ ତୁମ
ନିଦ ସତେ ଯିବ ଭାଜି |
ଚାଳଘରଟିଏ କରିଥିଲି ତାକୁ
ବାତ୍ୟା ଉଡାଇ ନେଲା ,
ଅଭାବୀମଣିଷ ନିରାଶ୍ରୟ ହେଲି
କେମିତି ଚଳିବି ଭଲା ?
ଜରିପାଲଟାଣି ଘରେ ରହୁଥିଲି
ପୁଣି ଆସିଲା ବନ୍ୟା,
ଜଳବନ୍ଦୀହୋଇ ରହିଲୁ ସମସ୍ତେ
ବିକଳେ କାନ୍ଦେ ମୋ କନ୍ୟା |
ଶୁଣିଲି ଏବେ ମୁଁ ଲୋକେ କହୁଛନ୍ତି
ସମୁଦ୍ର ଆସିବ ମାଡି,
ଅଣ୍ଟାଭିଡି ଆମେ ବାହାରିଲୁ ଏଠୁ
ଚାଲିଯିବୁ ଘର ଛାଡି |
ଯାଉଯାଉ ଆମେ ସ୍ତ୍ରୀକୁ ମୋହର
ସୁନାମୀ ନେଲା ଛଡାଇ,
ଆଖିଆଗେ ଦେଖି ମାଆର ମରଣ
ବିକଳେ ପୁଅ କାନ୍ଦଇ |
ଜୀବନଜୀବିକା ଉଜୁଡିଗଲାମୋ
ଭିଟାମାଟି ଦେଲି ଛାଡି,
ସହରକୁ ଗଲି ଚଳିବା ଆଶାରେ
ଛାଡି ସମ୍ପର୍କର ଡୋରି |
ଗୁପ୍ ଚୁପ୍ ବିକି ଚଳିଲି ସହରେ
କରୋନା ଆସିଲା କାହୁଁ,
ଜୀବନଜୀବିକା ଉଜାଡିଦେଲା ମୋ
ଆଖିଆଗେ ଚାହୁଁ ଚାହୁଁ |
ତିନିପ୍ରାଣୀ ଆମେ ଖାଇବାପାଇଁକି
ଘରେନାହିଁ ମୁଠେ ଭାତ,
ଭୋକିଲାମୁହଁକୁ ଦେଖି ପିଲାଙ୍କର
କପାଳେ ଦିଏ ମୁଁ ହାତ |
କୁହହେ ଇଶ୍ୱର କେଉଁ ଦୋଷପାଇଁ
ଏତେଦଣ୍ଡ ମୋତେ ଦେଲ,
ଅଭାବୀମଣିଷ ମାନେ କଣ ଖାଲି
ହେବା ସାର କଲବଲ l
ତୁମେକୁହ ପ୍ରଭୂ ମୁଁ କଣ ତୁମ
ସୃଷ୍ଟିର ଅଂଶ ନୁହଁ,
ଯଦି ହଁ ତେବେ ଏତେ ଦୁଃଖ କିଆଁ
ଉତ୍ତର ମୋତେ ଦିଅ |
