STORYMIRROR

Birakishore Nayak

Tragedy Inspirational

4  

Birakishore Nayak

Tragedy Inspirational

ବାପା

ବାପା

1 min
323


ମରୁର ତତଲା ବାଲିରେ

ଚାଲିବାକୁ ହୁଏ ମରଣ ପର୍ଯ୍ୟନ୍ତ 

ଫୋଟକାର ଯନ୍ତ୍ରଣାରେ 

ସବୁ ଦୁଃଖ ଚାପିବାକୁ ହୁଏ

ଶୁଷ୍କ ଓଠର କୃତ୍ରିମ ହସରେ |


ଲଦିବାକୁ ହୁଏ ମୁଣ୍ଡରେ

ପାହାଡ଼ ଓଜନର ଅସରନ୍ତି ବୋଝ

ଯାହା ନିଜର ଇଚ୍ଛାରେ

ବୋହିବାକୁ ହୁଏ ସିଏ ବାଧ୍ୟ

ଜୀବନର ତିକ୍ତ ବାସ୍ତବତାରେ |


ଅସରନ୍ତି ଚିନ୍ତା ମନରେ

ବୁଢିଆଣୀ ଜାଲ ପରି ଗୁଡେଇ ହୋଇଛି

ସଭିଙ୍କର ସମସ୍ୟାରେ

ସମାଧାନ ପାଇଁ ତ ଚେଷ୍ଟିତ

ଦିନ କଟେ ଭରା ଅଶାନ୍ତିରେ |


ଜୀବନ ବିତେ ତ ତ୍ୟାଗରେ

ନିଜ କଥା ବୁଝିବାକୁ ସମୟ ନଥାଏ

ଜଳେ ମନ ଯନ୍ତ୍ରଣାରେ

କହେ ନାହିଁ କେବେ ବି କାହାକୁ

ଲୁହ ଶୁଖେ ଉଦାସ ଆଖିରେ |


ଅଶାନ୍ତି ଥାଏ ତ ହସରେ

କେହି ତ ବୁଝେନା ହୃଦୟର ବ୍ୟଥା

ବାହାରେ ଦୀର୍ଘ ଶ୍ୱାସରେ,

ନୀରବତା ତାର ତ ଧର୍ମ

ମିଶେ ବ୍ୟଥା ତପ୍ତ ସମୀରରେ |


ବ୍ୟର୍ଥତା ଭରେ ଜୀବନରେ

ଅବଶତା ଘେରିଆସେ ଅଜାଣତେ

ପ୍ରାଣ ଭରେ ଶୂନ୍ୟତାରେ

ଭୁଲହୁଏ ତ ଅତୀତ

କ୍ଷତାକ୍ତ ହୁଏ ସେ ଆକ୍ଷେପରେ |


ଆକାଶର ମ୍ଳାନ ରଙ୍ଗରେ

ଜୀବନର ଉଦ୍ଦାମତା ହଜିଯାଏ

ଘାରିହୁଏ ରୁଗ୍ଣତାରେ

ହୋଇଯାଏ ତ ଅଲୋଡ଼ା

ଶେଷ ବୋଧେ ହୁଏ ମରଣରେ |



Rate this content
Log in

Similar oriya poem from Tragedy