ପ୍ରେମ ଷଟ୍ ପଦୀ
ପ୍ରେମ ଷଟ୍ ପଦୀ
ଏକ
ମୁଁ ଖୋଜୁ ଖୋଜୁ --ତମେ ଖୋଜି ନେଲ ।
ମୁଁ ଚାହୁଁ ଚାହୁଁ ---ତମେ ଚାହିଁ ଦେଲ।
ମୁଁ ମୁହଁ ଖୋଲୁ ଖୋଲୁ ---ତମେ ମୁଖରିତ ହେଲ।
ମୁଁ ମୁଗ୍ଧ ହେଉ ହେଉ ----ତମେ ମୋହଗ୍ରସ୍ତ ହୋଇଗଲ।
ଦୁଇ
ମୁଁ ହାତ ବଢ଼ଉ ବଢ଼ଉ---ତମେ ଧରିନେଲ।
ମୁଁ ମୂଲଚାଲ କରୁ କରୁ ---ତମେ ମୁଚାଲିକା କରିଦେଲ।
ମୁଁ ମୁଲତବୀ କରୁ କରୁ --ତମେ ମୁଲାକାତ୍ କରିଗଲ।
ମୁଁ ନିଜର କରୁ କରୁ ----ତମେ ନଜରବନ୍ଦୀ କରିଦେଲ।
ତିନି
ମୁଁ ମେଘମାଳ ସାଜୁ ସାଜୁ ---ତମେ ମେଘ ପୁଷ୍ପ ବିଞ୍ଚି ଦେଲ।
ମୁଁ ଟିକେ ହସୁ ହସୁ ----ତମେ ହସି ପକେଇଲ।
ମୁଁ ଆଖି ଛଳ ଛଳ କରୁ କରୁ ----ତମେ ଲୁହ ଗଡେଇଲ ।
ମୁଁ ସଜାଡ଼ୁ ସଜାଡ଼ୁ -------ତମେ ସଜାଡ଼ି ଦେଲ।
ଚାରି
ମୁଁ ଗଜରା ଗୁନ୍ଥୁ ଗୁନ୍ଥୁ ---ତମେ ଗଭା ସଜେଇଲ।
ମୁଁ ଗଜଲ୍ କରୁ କରୁ ---ତମେ ମୁଜୁରା କଲ।
ମୁଁ କବି ହେଉ ହେଉ ---ତମେ କାବ୍ୟ ନାୟିକା ସାଜିଲ।
ମୁଁ ମୋହନ ସାଜୁ ସାଜୁ --ତମେ ମୋହମନା ହୋଇଗଲ।
ପାଞ୍ଚ
ମୁଁ ଲୁଟିବାକୁ ଚାହୁଁ ଚାହୁଁ --ତମେ ଭୂ ଲୁଣ୍ଠିତା ହୋଇଗଲ।
ମୁଁ ବଗିଚା ସଜାଡ଼ୁ ସଜାଡ଼ୁ --ତମେ ଫୁଲ ଫୁଟେଇଲ।
ମୁଁ ଫଳ ଚାହୁଁ ଚାହୁଁ --ତମେ ତୋଳି ଦେଲ।
ମୁଁ ମୁଖଶାଳା ଗଢ଼ୁ ଗଢ଼ୁ --ତମେ ମୃଣ୍ମୟୀ ଦେବୀ ସାଜିଲ।
ଛଅ
ମୁଁ ମୁମୂର୍ଷୁ ହେଉ ହେଉ --ତମେ ମୁମୁକ୍ଷା ଦେଇଦେଲ।
ମୁଁ ହାତ ଧରି ଚାଲୁ ଚାଲୁ --ତମେ ହାତ ଛାଡ଼ିଦେଲ।
ମୁଁ ପ୍ରତୀକ୍ଷା କରୁ କରୁ --ତମେ ପ୍ରତାରଣା ଦେଇଗଲ।
ମୁଁ ପଚାରିବାକୁ ଚାହେଁ ନାହିଁ --ତମେ ଏମିତି କାହିଁକି କଲ ?

