ସ୍ଵର୍ଗାରୋହଣ
ସ୍ଵର୍ଗାରୋହଣ
ଉଠାଣି ରାସ୍ତାରେ ଚାଲିବାକୁ ହେଲେ
ଲୋଡା ଦୃଢ଼ ମନୋବଳ,
ପଛକୁ ଚାହିଁଲେ ପାଦ ଖସିଗଲେ
ପଶ୍ଚାତାପ ହିଁ କେବଳ ।
ସ୍ଵର୍ଗାରୋହଣର ସଙ୍କଳ୍ପକୁ ନେଇ
ପାଣ୍ଡବ ସଙ୍ଗେ ଦ୍ରୈ।ପଦୀ,
ହିମାଳୟ ଯାଇ ପର୍ବତ ଆରୋହୀ
ବଢାଇଲେ ଯେ ଯା ଗତି ।
ଦୁର୍ଗମ ଉଠାଣି କଣ୍ଟକ ସାରଣୀ
ତଥାପି ଉଚ୍ଚାଭିଳାଷ,
ସମ୍ମୁଖରେ ଦୃଷ୍ଟି ନିବନ୍ଧିତ କରି
ମନେ ସ୍ବର୍ଗ ପ୍ରାପ୍ତି ଆଶ ।
ପଛେ ରହିଥିବା ହସ ଲୁହ ମିଶା
ଅତୀତକୁ କରି ପଛ,
ଉର୍ଦ୍ଧ୍ବରୁ ଉର୍ଦ୍ଧ୍ବକୁ ପାଦ ବଢାଇଲେ
କରି ଦୁନିଆଁକୁ ତୁଚ୍ଛ ।
କ୍ରମିକ ଭାବରେ ପଣ୍ଡୁ ପାଞ୍ଚ ପୁତ୍ର
ଶେଷକୁ ଦେବୀ ପାଞ୍ଚାଳୀ,
ଅତି ସନ୍ତର୍ପଣେ ଆଗେଇ ଥାଆନ୍ତି
ଧୀରେ ଧୀରେ ପଦ ଚାଳି ।
ହଠାତ୍ ତାଙ୍କର ମନେ ପଡିଗଲା
ବିଗତର କିଛି ସ୍ମୃତି,
ପାଇଛନ୍ତି କେତେ ଦେଇଛନ୍ତି କେତେ
ଭ୍ରମରେ ପଡ଼ିଲା ମତି ।
ଆଗକୁ ଦେଖନ୍ତି ଅଛି ପଥ ବାକି
କେତେ କାହିଁ ଜଣା ନାହିଁ,
କେତେ ପଥ ଅତିକ୍ରମ କଲି ବୋଲି
ପଛକୁ ଦେଲେ ଅନାଇଁ ।
ଖସଡ଼ା ପଥରେ ପଡ଼ି ଗଲା ପାଦ
ଆଃ କହି ଗଲେ ପଡ଼ି,
ହାତ ଧରିବାକୁ ଚିତ୍କାର କରନ୍ତି
ପତିଙ୍କ ସାହାଯ୍ୟ ଲୋଡି ।
ସାହାଯ୍ୟ ଦେବାକୁ ବାହାରନ୍ତେ ଭୀମ
ଆକଟିଲେ ଧର୍ମରାଜ,
ମୋହେପଡି ଯେବେ ପଛକୁ ଚାହିଁବ
ପତ୍ତନତ ଅନିବାର୍ଯ୍ଯ ।
ଆଗେ ଅଗ୍ରସର ହେଲେ ପଞ୍ଚ ଭ୍ରାତା
ଦ୍ରୌପଦୀ ରହିଲେ ପଡ଼ି ,
ପୁଣି ଥରେ ଶେଷେ ହୃଦେ କୃଷ୍ଣଧ୍ଯାୟି
ବେନି ହାତ ଦେଲେ ଯୋଡି ।