ନଈ ବାଲି
ନଈ ବାଲି
ସଂସାର ନଈରେ ସରୁ ବାଲିଟେ ମୁଁ
ଗଡ଼ି ଚାଲେ ତା ସାଥୀରେ,
ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ ମୋହର
ଚାଲିଥାଏ ନିରନ୍ତରେ ।। ୧
ନିଜ ଅସ୍ତିତ୍ଵକୁ ଜାହିର କରିବା
ପ୍ରୟାସକୁ ରଖେ ଜାରି,
ସ୍ରୋତର ପ୍ରବଳ ଗତିରେ ଧାଇଁ ମୋ
ବଳ ଆସେ ସରି ସରି ।। ୨
ଗଡ଼ି ଗଡ଼ି ସିନା ତନୁ ହୁଏ କ୍ଷୀଣ
ପାଏନା ମୋର ଠିକଣା,
କେତେ ଯେ ବନ୍ଧୁର ପଥ ଅଛି ବାକି
ସେ କଥା ବି ନାହିଁ ଜଣା ।। ୩
କାହା ପଦରଜ ହୋଇ କେବେ କେଉଁ
ଅହଲ୍ୟା ପାଇଲେ ପ୍ରାଣ,
ସୌଭାଗ୍ୟ ମଣିବି ଜାଣିବି ଜୀବନ
ହୋଇଅଛି ମୋର ଧନ୍ୟ ।। ୪
କେବେ ଯଦି ଟିକି ଗୁଣ୍ଡୁଚି ମୂଷାର
ମାଧ୍ୟମରେ ବୁହା ହୋଇ ,
ସେତୁ ନିର୍ମାଣରେ ନଗଣ୍ୟ ଭୂମିକା
ପାରିବି ଯଦି ନିଭେଇ ।। ୫
ସାର୍ଥକ ହୋଇବ ଜୀବନ ମୋହର
ସେ ସେତୁ ହେଲେ ନିୟୋଗ,
ଜନ ପଦ ପାତେ ଉଲ୍ଲସିତ ହୋଇ
ମଣିବି ଅତି ସୌଭାଗ୍ୟ ।। ୬
କେବେ ଯଦି ଦିଅଁ ଦେଉଳ ଗଢାରେ
ଲାଗି ଯିବି ଭାଗ୍ୟ ବଳେ,
ଭାବିବି ମୋଠାରୁ ଭାଗ୍ୟବନ୍ତ ଆଉ
ନାହିଁ ଜଣେ ମହୀ ତଳେ ।। ୭
ଯାହା ଇଚ୍ଛା ତାହା କର ମହାପ୍ରଭୁ
ନିଜକୁ ମୁଁ ସମର୍ପିଲି,
ମୋ ଜୀବନ ଗତି ତୁମ ହାତେ ଦେଇ
ନିଶ୍ଚିନ୍ତେ ଶରଣ ଗଲି ।। ୮