STORYMIRROR

Sudruma Panda

Others

4  

Sudruma Panda

Others

ନୀଳ ମାଧବ

ନୀଳ ମାଧବ

1 min
385


ଚିତ୍ରୋତ୍ପଳା ତୀରେ ବ୍ରହ୍ମଦ୍ରୀ ଶିଖରେ

    ସୌମ୍ୟ ଶ୍ରୀ ନୀଳ ବିଗ୍ରହ,

ଦର୍ଶନ କରନ୍ତେ ଜନ୍ମାର୍ଜିତ ଯେତେ

    ପାତକ ହୁଅଇ କ୍ଷୟ ।। ୧

 

ପୁଣ୍ୟ ତୋୟା ମହାନଦୀ ଯାଏ ବହି

     ସେ ଗିରି ଚରଣ ଛୁଇଁ,

ତା କୂଳେ ବିଜୟ ଶ୍ରୀ ନୀଳ ମାଧବ

   ଭକ୍ତ ଙ୍କୁ ତାରିବା ପାଇଁ ।। ୨


କନ୍ଦର ଭିତରେ ବିଶ୍ଵାବସୁ କରେ

   ପାଉଥିଲେ ଦିନେ ପୂଜା,

ଫଳ ମୂଳ କନ୍ଦେ ସେବି ମହାନନ୍ଦେ

   ଥିଲା ସେ ଶବର ରାଜା ।। ୩

 

ପାଇ ସ୍ବପ୍ନାଦେଶ ଉତ୍କଳ ନରେଶ

   ମହାମାନ୍ଯ ଇନ୍ଦ୍ରଦ୍ୟୁମ୍ନ,

ନୀଳ ମାଧବଙ୍କ ଅନ୍ବେଷଣ ପାଇଁ

   ପଠାଇଲେ ଚାର ଗଣ ।। ୪


ବିଦ୍ୟାପତି ନାମେ ବ୍ରାହ୍ମଣ ସେ କାମେ

   ହୋଇ ଥିଲା ନିୟୋଜିତ,

ଦଇବ ସଂଯୋଗେ ସେହି ବନଭାଗେ

    ହେଲା ଆସି ଉପଗତ ।। ୫


ଜାରା ର କୁମାରୀ ଲଳିତା ସୁନ୍ଦରୀ 

   ସହିତେ ଦୈବାତ ଭେଟ,

ହେଲା ଯେଉଁ ଦିନ ଫିଟିଲା ସେଦିନ

    ଠାକୁର ଦର୍ଶନ ବାଟ ।। ୬


ପ୍ରଭୁ ଙ୍କ ଆଜ୍ଞା ରେ ବିଗ୍ରହ କୁ ଧୀରେ

    ସେଠାରୁ କରି ଅନ୍ତର,

ଅତି ଆବେଗରେ ରାଜା ଙ୍କ ଛାମୁରେ

    ଦେଲା ଯାଇ ସୁଖବର ।। ୭


ନିଜେ ନରପତି ଗମିଲେ ଝଟତି

   କରିବାକୁ ଦରଶନ,

ଶ୍ରୀ ନୀଳ ମାଧବ ସେଠାରୁ ତୁରିତ

   ହୋଇଗଲେ ଅନ୍ତର୍ଦ୍ଧାନ ।। ୮


ମହା ଶୋକେ ପଡ଼ି ରାଜା ମୁଣ୍ଡ କୋଡ଼ି

    କାନ୍ଦନ୍ତେ ହୋଇ ଅଧିର ,

ହେଲା ସେହିକ୍ଷଣି ଉର୍ଦ୍ଧ୍ବୁ ଶୂନ୍ୟ ବାଣୀ

   ଶୁଣି ରାଜା ହେଲେ ସ୍ଥିର ।। ୯


ଶୁଭିଲା ହେ ନୃପ ଆମ୍ଭ ଏହି ରୂପ

   ପୂଜା ପାଇବ ଏଠାରେ,

ମହୋଦଧି କୂଳେ ଭକତ ଙ୍କ ମେଳେ

    ଆମ୍ଭେ ରହିବୁ ଖୁସି ରେ ।। ୧୦


ବିଳମ୍ବ ନକର ଆହେ ନର ବର

   ତୋଳାଅ ଭବ୍ୟ ମନ୍ଦିର,

ଯଥା ସମୟରେ ବାଙ୍କୀ ମୁହାଣ ରେ

   ଲାଗିବ ଦାରୁ ଆମ୍ଭର ।। ୧୧


ଭାଇ ଭଗ୍ନୀ ସଙ୍ଗେ ରହି ନାନା ରଙ୍ଗେ

    କରିବୁ ଲୀଳା ଭିଆଣ,

ଆମ୍ଭ ଆଜ୍ଞା ଘେନ କରି ଇଚ୍ଛା ପୂର୍ଣ୍ଣ

    ମନ୍ଦିର କର ନିର୍ମାଣ ।। ୧୨


ନୀଳାଚଳେ ରାଜା ଉଡାଇଲେ ଧ୍ବଜା 

   ବିଜେ ହେଲେ ଜଗନ୍ନାଥ,

ସାରା ଜଗତର ଆରାଧ୍ୟ ଠାକୁର 

 ନାମେ ହେଲେ ବିଶ୍ୱେ ଖ୍ୟାତ ।। ୧୩ 


କଣ୍ଟିଲୋ ରେ ନୀଳ ମାଧବ ନାମରେ

     ଦିଅନ୍ତି ଏବେ ଦର୍ଶନ,

ସେବନ୍ତି ଭକତ ରାଧା ପଦ୍ମ ପାଦ

    ଅଅଁଳା ନବମୀ ଦିନ ।। ୧୪


ହେ ନୀଳ ମାଧବ ହେଇ ଜଗନ୍ନାଥ

    ଷାଠିଏ ପଉଟି ଖାଅ,

ତେବେ ବି ଶବର ଫଳ କନ୍ଦାହାର

    ଏବେ ସୁଦ୍ଧା ଭୁଲି ନାହିଁ ।। ୧୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍