ଆଉ ଜଣେ କିଏ
ଆଉ ଜଣେ କିଏ


ଯାହା ମୁଁ ଲେଖୁଛି
ଲେଖି ସାରିଥାଏ ଆଗରୁ, ଆଉ ଜଣେ କିଏ ।
ନିଜ ସୃଜନ ରେ ମୁଁ ବିଭୋର,
କିନ୍ତୁ ସୃଷ୍ଟିକର୍ତ୍ତା ମୁଁ ନୁହେଁ, ଆଉ ଜଣେ କିଏ ।
ଶବ୍ଦ ମୋ ନିଜର
ଶୈଳୀ ମୋ ନିଜସ୍ବ
ଭାବ ମୋର ଏକାନ୍ତ,
ହେଲେ ମୁଁ ଈଶ୍ୱର ନୁହେଁ, ଆଉ ଜଣେ କିଏ ।
ଫଳ ଗଛରୁ ଖସି ଛୁଉଁଥାଏ ମାଟି,
ଆଲୋକ ଧାଉଁ ଥାଏ ରୈଖିୟ ପଥରେ,
ଗ୍ରହ ରାଜି ପରିକ୍ରମୁ ଥାନ୍ତି ସୂର୍ଯ୍ୟ ।
ନିଉଟନ୍ ମାନେ ଆବିଷ୍କରି ଯାଆନ୍ତି ସତ
ଅବଶ୍ୟ ସେ ତତ୍ତ୍ଵ ମୂଳରେ ଥାଏ, ଆଉ ଜଣେ କିଏ ।
ଫୁଲ ଉପବନେ
ଗଛଲତା ନିର୍ଝରଣୀ କାନନେ ପାହାଡ଼େ,
ନୀଳ ଆକାଶ ଉତ୍ତାଳ ସମୁଦ୍ର ଉର୍ମିରେ,
ପଶୁ ପକ୍ଷୀ କୀଟ ପତଙ୍ଗ ରାବରେ କାକଳିରେ,
ମଣିଷଙ୍କ ଲୁହରେ ହସରେ
ପ୍ରେମରେ ପ୍ରତାରଣାରେ,
ଖୁନ୍ଦି ହୋଇ ରହିଥାଏ କବିତା
ଲେଖି ସାରିଥାଏ ଆଗରୁ, ଆଉ ଜଣେ କିଏ ।
ସେ ଈଶ୍ୱର ହୋଇଥିବେ ଵୋଧେ ।
ମୁଁ ଯାହା ମୋ ଢ଼ଙ୍ଗରେ ସଜାଏ,
କବିତା କବିତା ବିଲ୍ ବିଲାଉ ଥାଏ,
କବି ଟିଏ ହେବାର ଆପ୍ରାଣ ଚେଷ୍ଟାରେ
ଅଣନିଶ୍ଵାସୀ ହେଉଥାଏ।
କସ୍ମିନ୍ କାଳେ ମୁଁ କବି ଟିଏ ନୁହେଁ, ଆଉ ଜଣେ କିଏ ।
କେହି କେହି କହନ୍ତି
ମୁଁ ଈଶ୍ୱରଙ୍କ ପାଖ ଲୋକ, ଦ୍ଵିତୀୟ ଈଶ୍ୱର ।
ମୋ ସୃଜନର ହସ୍ତାକ୍ଷର
ସଜେଇ ପାରେ ଏକ ସମାନ୍ତରାଳ ସଂସାର ।
ମୋ ହୃଦୟ ଇସ୍ତାହାର
ରଚି ପାରେ ଅନେକ ପ୍ରଳୟ।
ହେଲେ ମୁଁ, ମୁଁ ନୁହେଁ, ଆଉ ଜଣେ କିଏ ।।