ନିର୍ଭୟାର ଅନ୍ତଃସ୍ୱର
ନିର୍ଭୟାର ଅନ୍ତଃସ୍ୱର
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଫୁଲ ଠୁ କୋମଳ ମନ ନିରିମଳ
ଚପଳମତି ଅନନ୍ୟା,
କାହାପାଇଁ ମୁଁ ତ ଭଉଣୀ ସୁଭଦ୍ରା
ମାତା ପିତାଙ୍କ ସୁକନ୍ୟା ।
ଫୁଲ ପାଖୁଡ଼ାରେ ନିଜକୁ ଖୋଜେ ମୁଁ
ମନ ମୋର ନିରିମାଖି,
ନିଆରା ନିଆରା ସପନ ଅସରା
କଥା କୁହେ ଦୁଇ ଆଖି ।
ଆଖିରେ ଆଖିଏ ଆଗାମୀ ଇସାରା
ମୁଁ କଳ୍ପନା ରାଜଜେମା,
ମାଆ ଅଗଣାର ଫୁଲ ଅଲିଅଳୀ
ବାପା ଆଖିରେ ଉପମା ।
କଅଁଳ ଫୁଲ ମୁଁ ମୃଦୁ ମୃଦୁ ହସେ
ନେଇ ବାଲ୍ୟ ଚପଳତା,
ହସ କଉତୁକେ ହସ୍ତାକ୍ଷର ଲେଖେ
ହେବି ମୁଁ ଜଗତଜିତା ।
ଭସା ବାଦଲକୁ ସାଥୀ କରିନେଇ
ଭାସେ ମୋ' ମନ ଆକାଶେ,
ନୀଳ ସାଗରର ବହଳ ଢେଉରେ
ନିଜକୁ ଦେଖି ମୁଁ ହସେ ।
ହସ ମୋ' ନିଆରା ନାହିଁ ତା କିନାରା
ଛଳନା ମୁଁ ଶିଖିନାହିଁ,
ଖୋଲା ମନ ନେଇ ମୁଁ ସୁନା ଚଢ଼େଇ
ଠକିବାକୁ ଜାଣିନାହିଁ ।
ଆଇନାରେ ଛାଇ ଦରକାର ନାହିଁ
ମନ ମୋ' ନିଜ ଆଇନା,
ମନକୁ ସଜାଇ ମନ କିଣିନିଏ
ସାଜି ମାନର ମଇନା ।
ଦୁଃଖରେ ଯେବେ ମୋ' ଆଖି ଭରିଯାଏ
ଲୁହକୁ ଲୁଚେଇ ନିଏ,
ଆଖି କୋଣ ମୋର ଚିର ସହଚରୀ
ଲୁହତକ ପିଇଯାଏ ।
ଗୋଲାପ ନୁହେଁ ମୁଁ ତଥାପି ମୋ' ଦେହେ
ଅତର୍କିତ କଣ୍ଟା ବନ,
ହାତେ ମାପି ଚାଲେ ଚାଖଣ୍ଡେ ଚାଖଣ୍ଡେ
ରୋକିବାକୁ ଆକ୍ରମଣ ।
ନାଲି ଟୁକୁଟୁକୁ ସାଧବ ବୋହୂର
ସପନରେ ଭାସୁଥିଲି,
ସପନରେ ରଙ୍ଗ ଲାଗିବା ଆଗରୁ
ଦୁଷ୍କର୍ମେ ବଳି ପଡିଲି ।
ବାଲ୍ୟ ଚପଳତା ସ୍ନେହ ଆଚ୍ଛାଦିତା
ମୋ' ପରି କେତେ କିଶୋରୀ,
ଗଣ ଦୁଷ୍କର୍ମର ଶିକାର ହୁଅନ୍ତି
ଲିଭିଯାଏ ତାଙ୍କ ଶିରୀ ।
ବିଧାତା ବିଧାନ ସମାଜ ନିୟମ
ସମ୍ବିଧାନ ଶିଥିଳତା,
ସବୁଠାରେ ଖାଲି ମିଛ,ବର୍ବରତା
ସତ୍ୟ ଲୋଡ଼େ ଯଥାର୍ଥତା ।
ନୁହେଁ ମୁଁ ଅହଲ୍ୟା ନୁହେ ଏ ତ୍ରେତୟା
ପ୍ରତୀକ୍ଷା କରେ ଶ୍ରୀରାମ,
ଚାହେଁ ଖାଲି ନ୍ୟାୟପାଳିକା ହାତରେ
ସତ୍ୟନିଷ୍ଠ ସମ୍ବିଧାନ ।
ଦୀର୍ଘ କେଇ ବର୍ଷ ବିତିଗଲା ପରେ
ଦୋଷୀଙ୍କୁ ମିଳିଛି ଦଣ୍ଡ,
ଫାଶୀ ନୁହେଁ ତାହା କଳଙ୍କ- କୃତିର
ବୈଧାନିକ ମାନଦଣ୍ଡ ।
ଧର୍ଷିତା ଲୁଣ୍ଠିତା ଦୁଷ୍କର୍ମପୀଡ଼ିତା
ମୋ' ସୁପ୍ତ ଆର୍ତ୍ତ ଚିତ୍କାର,
ମନ୍ଥର ମନ୍ଥର ଶୁଣିଲେ ଈଶ୍ୱର
ଦେଲେ ନ୍ୟାର୍ଯ୍ୟ ଉପହାର ।
ମୁଁ ତ ଗଲି ଚାଲି, ନ ଥିଲି ପାଞ୍ଚାଳି
ଆହେ ଦୁଷ୍ଟ ଦୁଃଶାସନ,
ଯୁଗ ଯୁଗ ଧରି ପୃଥ୍ବୀ କୁରୁକ୍ଷେତ୍ରେ
ନ କର ବସ୍ତ୍ରହରଣ ।
ନିର୍ଭୟା ମୁଁ ସତ, ଦେଇ ପାରିବି କି
ଅଭୟର ବରଦାନ !
ଏତିକି ମାଗିବି ସଭ୍ୟ ସମାଜକୁ
ନାରୀକୁ ଦିଅ ସମ୍ମାନ ।