ଚାରିଆଡେ ଏବେ ଚହଳ
ଚାରିଆଡେ ଏବେ ଚହଳ


ବୁଢା ବରଗଛ ଓହଳ
ଚାରି ଆଡେ ଏବେ ଚହଳ
ବଣ କାଟି ସବୁ ସଫା କରିଦେଲୁ
ପାହାଡ଼କୁ ସବୁ ଲଣ୍ଡା କରିଦେଲୁ
ସବୁଜିମା ଏବେ ହଜିହଜି ଯାଏ
ପଡିବରେ ନିଶ୍ଚେ ଅକାଳ
ଚାରିଆଡେ ଏବେ ଚହଳ..
ଦାନ୍ତ ନିକୁଟୁଛି ଟାଙ୍ଗେରା ଭୂଇଁ ତ
ମାଟି ଯାଉଅଛି ଧୋଇ
ପଥର ଖସୁଛି ଲଣ୍ଡା ପାହାଡରୁ
ପୋତି ହୋଇଯାଏ ନଈ
ବେଳ ଯାଉଅଛି ବିଗିଡି
ଧାନ ହେଉଅଛି ଅଗାଡି
ଫସଲ ଯାଉଛି କ୍ଷେତରୁ ଉଜୁଡି
ଚଷାପୁଅ ହୁଏ ବିକଳ
ଚାରିଆଡେ ଏବେ ଚହଳ..
ବଣ
ୁଆ ହାତୀ ତ ଗାଁରେ ପସନ୍ତି
ବଣ ଆଉ ନାହିଁ ବୋଲି
ମଉଷୁମୀ ଆସେ ମାଟି ଦୁଲୁକେଇ
ମେଘ ଯାଏ ବାଟ ଭୁଲି
ବଢି ପରେପରେ ମରୁଡି
ଫସଲ ଦେଉଛି ଉଜାଡି
କୋପ କରୁଅଛି ପ୍ରକୃତି ରାଣୀ ଲୋ
ଦୁଃଖ ହେଉଅଛି ବହଳ
ଚାରିଆଡେ ଏବେ ଚହଳ..
ଗଛ ଭରିଦେଲେ ଦିଗ ଚଉଦିଗେ
ପବନ ବହିବ ମିଠା
ବଣ ପଶୁ ପକ୍ଷୀ ବଣରେ ରହିବେ
ହେବେ ନାହିଁ ହଟହଟା
ଚୋରା ଚଇତାଳି ପବନ
ହେବନିରେ ଆଉ ସପନ
ଜୀବନ ଲାଗିବ ମଧୁ ରୁ ମଧୁର
ଗଛ ହୋଇଗଲେ ଗହଳ
ଚାରିଆଡେ ଏବେ ଚହଳ..।