ମୁଁ ନୁହେଁ ଗରିବ
ମୁଁ ନୁହେଁ ଗରିବ
ଥକା ମାରିବାକୁ ବସିଯାଇଛି ଏ ମନ,
ଖରାର ଦାଉରୁ କି ବଞ୍ଚିପାରୁଛି ଏ ଜୀବନ ।
ଖଟିଲେ ଖାଉଛି କାହା ଦୟାରେ ଚଳୁନି,
ଦିନେ ନ ଖଟିଲେ ଚୁଲିକୁ ହାଣ୍ଡି ମୋ ଯାଉନି ।
ଠିଆ ଖରା ହେଉ କି ସେ କୁହୁଡିର ଆସ୍ତରଣ,
ଖଟିଲେ ପାରିବି ମୁଁ କରି ମୋ ପରିବାର ଭରଣ ପୋଷଣ ।
କି ଖରା କି ଶୀତ କି ବାଦଲ ଫଟା ବରଷା,
ଖଟିଲେ ଯାଇ ଭାଗ୍ୟକୁ ଲେଖାହେବ ପଖାଳର କଂସା ।
ମୋ ଦିନସବୁ ଏମିତି ଯାଏ କଟି
ନାହିଁ ମୋର ତିଳେ ଅଭିମାନ,
ରେ ମଣିଷ!
ମୋ ଠୁ ଅଧିକା ଖୁସିର ପାତ୍ର ହୋଇ
କାହିଁକି ନିନ୍ଦୁଛୁ ଏ ଜୀବନ ।