STORYMIRROR

Smruti Ranjan Tripathy

Abstract Classics

3  

Smruti Ranjan Tripathy

Abstract Classics

ବର୍ଷା ହେଲେ ..

ବର୍ଷା ହେଲେ ..

1 min
21


ବର୍ଷା ହେଲେ 

ଝର୍କା ସେପାଖେ 

ମୋ ପିଲାଦିନ ଦିଶେ।

ଏସନ ବି ଛପର ହେଇପାରିନି,

ମେଣ୍ଟେଇ ହେଇନି

ଖତେଇ ହେଉଥିବା ଇନ୍ଦ୍ରଧନୁ ପାଇଁ ଛାତ ଟିଏ

ପେଟର ଓଦା କନା ବି

କମ୍ ପଡିଯାଏ ଘୋଡେଇବାକୁ

ଦି ବଖରା ଚାଳ, ଭୋକ ର ଭୁଗୋଳ।

ବା'ର ମଜୁରିଆ ହାତ 

ଜରୁଆ ଘର ର ଭାର ବୁହେ

ଗୋଟେ ଦୀର୍ଘଶ୍ଵାସ ରେ ଅହରହ

ସବୁ ଅବଶୋଷ ର ସାନ୍ଧ୍ରତାକୁ ସେ

ଶେଷ ଯାଏଁ ଶୋଷେ,

ମୋତେ ସେ ନୀରିହପଣର ସ୍ବେଦ 

ନିର୍ମାଲ୍ୟ ନିର୍ମାଲ୍ୟ ବାସେ।


କାଗଜରେ ସ୍ବପ୍ନଟିଏ ଲେଖି 

ତାକୁ ରକେଟ କରି ଉଡାଏ

ଚାଳ କଣାରୁ ମୁକୁଳି ପାରିନି ଏଯାଏଁ

ଟପ୍ ଟପ୍ ଅସହାୟତାର ଆୟୁଷ।।

ବର୍ଷା ହେଲେ ଆଜି ବି 

ଅଧଗଢା ସ୍ବପ୍ନ ଭିତରୁ 

ସ୍ନେହ ବୋଳା ଶବ୍ଦ କିଛି

ଅଧିକାର ହୋଇ ଧସେଇ ପଶେ

ଭାଇ ର ବହିଥାକ ଆଜି ହାକିମ ହାକିମ ଦିଶେ

ବାପାଙ୍କ ବଳକା ନିଃଶ୍ୱାସ ଈଶ୍ୱର ଈଶ୍ୱର ବାସେ।।


ମୁଁ ଦେଖିପାରେ

ଦାରିଦ୍ର୍ୟ ର ତଳି ପକା କ୍ଷେତରୁ 

ବୋଉ ତୋଳେ ଜୀଇଁବାର କଳା କୌଶଳ

ବର୍ଷା ହେଲେ

ଆମ ଅଗଣା ର ଚୁଲି ଚାରିପଟ 

ଜହ୍ନି ପୋସ୍ତ ବାସେ।


ବର୍ଷା ଛାଡିଲେ 

ବୋଉର ସ୍ବଛ ଆଇନାରେ

ମୋ ପିଲାଦିନ ଆହୁରି ଫର୍ଚ୍ଚା ଦିଶେ

ସେ ସଜେ, ଆମକୁ ସଜାଏ

କ୍ରମେ ପ୍ରଶସ୍ଥ ହେଉଥିବା ତା' ମଥାର ଗାଢ଼ କୁଙ୍କୁମରେ

ମୋତେ ଚତୁଃଦିଗ ଦେବୀ ଦେବୀ ଦିଶେ

ବିଜୁଳି ଘଡ଼ଘଡିର ରୋଷଣୀରେ

ସବୁଆଡ଼ ଆଜି ଈଶ୍ୱରୀ ଈଶ୍ୱରୀ ବାସେ।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract