ଅଫେରା ବାଟ
ଅଫେରା ବାଟ


ଟୋପାଏ ଅମୃତକୁ ପାଇବା ପାଇଁ
ଯେଉଁ ତୃଷାର୍ତ୍ତ ହାତଟି ଝାମ୍ପ ଦେଇଥିଲା ଗୋପନ ନଈକୁ
ଦରିଆରେ ମିଶିବା ପୂର୍ବରୁ ଲଗେଇଲା କଳଙ୍କର ଛିଟା
ନଈ ହେଲା ବଇରୀ ।
ବାଲିଆ ପ୍ରେମତୁଠର ଋତୁ ଶଯ୍ୟାରେ
ଗଢି ଉଠିଥିଲା ଯେଉଁ ସମ୍ପର୍କର ସେତୁ
ତୁଠ ସେପଟ ଡା଼କରୁ ସେ ଏବେ ଦିଗହୀନା
ଖୋଜୁଛି ବିସ୍ତୃତ ପରିଚୟ
କେହି ଛାଡିଯାଇଥିବା ପାଦଚିହ୍ନରୁ ।
ନଈକୁ ପୁଣି ମାଗିଲି ଆଞ୍ଜୁଳାଏ ପ୍ରେମ
ସର୍ତ୍ତ ରଖିଲି ଫେରେଇବାକୁ ତା ଆଦିମ ସତ୍ତା
ସେ ନାଇଲା ଛଳ ଛଳ ନାଦର ସିନ୍ଦୁର
ମୁଁ ସାଜିଲି ନିଃସର୍ତ୍ତରେ ପଥିକ ଅଫେରା ବାଟର ।
ସବୁ ସମ୍ପର୍କକୁ ଦ୍ୱାହି ଦେଇ ଚୋରା ବାଲିରେ ରଖିଲି ପାଦ
ବୁଡିଗଲା ଗୋଡ ତଳକୁ ତଳକୁ ବୋଲି
ମୁଁ ଏବେ ଶେଷ ପାହାଚରେ
ନଈର ଆକୁଳ ବିନମ୍ର ଧାରରେ ।
ଯେତେ ଯିଏ ଡାକିଲେ ବି
ମୁଁ ଏବେ ପଥିକ ଅଫେରା ବାଟର
ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ
ସବୁ ଅପବାଦକୁ ଖାତିର ନକରି
ବହିଯାଏ ଏ କୂଳରୁ ସେ କୂଳ
ଚିର ସବୁଜ ଛଳ ଛଳ ।