ବାପା
ବାପା
ଯିଏ ଜୀବନ ବୀଣାର ଝଙ୍କାର,
ଯିଏ ମମତାର ଏକ ନିର୍ଝର,
ଯିଏ ଶ୍ରେଷ୍ଠ ସୃଷ୍ଟି ଏ ସ୍ରଷ୍ଟାର, ସିଏ ବାପା |
ଯାର ହୃଦୟ ସତେକି ସାଗର
ଯାର ମନ ଆକାଶଠୁ ବିସ୍ତାର,
ଯିଏ ଉପମା ବିହୀନ ସୃଷ୍ଟିର ସିଏ ବାପା |
ଯିଏ ନିଜେ ହାରି ଆନେ ଜିତାଏ,
ଯିଏ ବାଟ ହୁଡି ବାଟ ବତାଏ,
ଯାହା ବିନାହୁଏ ସବୁ ଅନ୍ଧାର ସିଏ ବାପା |
ଯିଏ ଆମ ମଥା ପାଇଁ ଛାତଟେ,
ଭରାନଈରେ ନାଉରୀ କାତଟେ,
ଯିଏ ମଝିଖୁଣ୍ଟି ଆମ ଘରର, ସିଏ ବାପା |
ଯିଏ ଝଡପାଇଁ ବଡ ପ୍ରାଚୀର,
ଯିଏ ମାଘ ଜାଡ ପାଇଁ କମ୍ବଳ,
ଯାହାପାଇଁ ଚାଲେ ଆମ ସଂସାର ସିଏ ବାପା |
ଯିଏ ହାତ ଧରି ଚାଲି ଶିଖାଏ,
ଯିଏ ଦୁଃଖ ପିଇ ସୁଖ ପିଆଏ,
ଖରା ବରଷା ହାରେ ଯା କତିରେ ସିଏ ବାପା |
ଯିଏ ପରିଚୟ ଦିଏ ଆମକୁ,
ଯିଏ ଦାନା ଦେଇଥାଏ ପେଟକୁ,
ଯାର ଶୋଣିତ ଆମରି ଶିରାରେ ସିଏ ବାପା |
ଯିଏ ଆକାଶରୁ ଆଣେ ଜହ୍ନକୁ,
ତୋଳେ ଗଭୀର ଜଳରୁ କଇଁକୁ
କିଛି ଅଦେୟ ନାହିଁ ଯା ପାଖରେ ସିଏ ବାପା |
ଖରା,ବରଷା ହାରେ ଯା ପାଖରେ,
ଶିତ ମିତ ବସେ ଯାର ସାଥୀରେ
ଯିଏ ଭରଷା ଏ ପରିବାରରେ ସିଏ ବାପା |
ଯିଏ କଥା ଦେଇ କଥା ରଖନ୍ତି,
ଯିଏ ଦୁଃଖ ନେଇ ସୁଖ ଦିଅନ୍ତି,
ଆମେ ସାହସ ପାଉ ଯା କଥାରେ ସିଏ ବାପା |
ଯାର ଉପରଟା ପୁରା ନଡିଆ,
ଯାର ଭିତରଟା ଭାରି ବଢ଼ିଆ
ଯାର ହୃଦୟୁ ଅମୃତ ଝରେରେ ସିଏ ବାପା |
ଯିଏ ମନ୍ଦିର ବେଢ଼ାର ଠାକୁର,
ଯିଏ ଚିର ବନ୍ଦନୀୟ ଆମର,
ମଥା ରହୁ ଆମ ଯାର ପାଦରେ ସିଏ ବାପା |