ଆମ ଗାଆଁ
ଆମ ଗାଆଁ
ଗାଁର ମୋହ ମୁଁ ଯାଇନି ଛାଡି
ଡାକୁଛି ମୋତେ ଘଡି କି ଘଡି ।
ଦେଖୁଛି ସ୍ବପ୍ନ ମୋ ପିଲା ବେଳ
ଖେଳିବା ପାଇଁ ଅନେକ ଖେଳ ।
ଆଣିଲା ଟାଣି ମୋ ଗାଁ ମୋହ
ଦେଖିଲି ଦୃଶ୍ୟ ଆସିଲା କୋହ ।
ହଜିଛି ସବୁ ପୂର୍ବ ଗୌରବ
ଭାବିଲେ ଆଉ ଲାଗୁନି ଲାଭ ।
ଦିଶୁନି ଆଉ ସେ ଚାଳ ଘର
ବାଲି ଧୂଳିର ଦାଣ୍ଡ ଦୁଆର ।
ନାହିଁ ଆମର ଗୁହାଳ ଘର
ଚାଷ କାମରୁ ସବୁ ବାହାର ।
କଳ ଲଙ୍ଗଳ କରୁଛି ଚାଷ
ଖତ ଗଦାଟା କରୁନି ବାସ ।
ନଈ ପୋଖରୀ ଯାଇଛି ଚାଲି
ଗାଧୁଆ ତୁଠ ପଡିଛି ଖାଲି ।
ଆସୁନି ବୋହୁ ଗାଧୁଆ ତୁଠ
କାମରେ ଆଜି ନୁହେଁ କର୍ମଠ ।
ବଣ ଜଙ୍ଗଲ ହୋଇଛି ସଫା
ମନଟା ଆଜି କରିଛି ଖପ୍ପା ।
ଶୁଭୁନି ଆଉ ବିଲୁଆ ଡାକ
ରାବୁନି ଆଉ କେବେ ଡାହୁକ ।
ଦିଶୁନି ଆଜି କାଉ ଶାଗୁଣା
ପରିବେଶ ଟା କରୁଛି ବଣା ।
ପନି ପରିବା ହେଉନି ଚାଷ
କିଣା ପରିବା ଖାଲି ତ ବିଷ ।
ସ୍ନେହ ମମତା ଯାଇଛି ଉଡି
ବୁଢା ବାପା ମା ଛାଡ଼ନ୍ତି ରଡ଼ି ।
ନେଉନି କେହି ଯତ୍ନ ତାଙ୍କର
କାନ୍ଦୁଛି ଆତ୍ମା ଖାଏ ପ୍ରହାର ।
ଗାଆଁର ମୋହ ଗଲା ମୋ ଛାଡି
ହୃଦରେ କୋହ ଛାଡିଲା ରଡ଼ି ।
ଫେରିଲି ପୁଣି ଆମ ସହର
ଗାଆଁଠୁ ଆଜି ଲାଗେ ସୁନ୍ଦର ।
