ଦାନ ମାଝୀ
ଦାନ ମାଝୀ
ଦାରିଦ୍ର୍ୟତାର ପାହାଡ ଉପରେ
ସଂସାରର ପଥ
କେବେ ବୈଶାଖର ଝାଞ୍ଜି ତ
କେବେ ମାଘର ବାଘ ପରି ଶୀତ
ଦୁଃଖ ସଦା ଜାକିଧରେ ପୌଷର ଜାଡ ପରି ।
ତଥାପି ଥକି ପଡିନି ଦାନ ମାଝି
ପରିବାରର ମଙ୍ଗ ଧରି ,
ଜୁଝୁଛି ଝଡ ସହ
ଦିହ ଓ ମନର ବଳକୁ ଏକାଠି କରି ।
ରୋଗୀଣା ଭାରିଯାଟା ଛାଡିଦେଲା
ଅଧା ବାଟରୁ ହାତ
ତିନି ତିନିଟା ଝିଅଙ୍କ ଭାଗ୍ୟ ଓ ଭବିଷ୍ୟକୁ
ତା ହାତରେ ସଅଁପି ଦେଇ
ଚାଲିଗଲା ଆରପାରିକୁ ।
ଈଶ୍ବରଙ୍କ ଡାକରାରେ
ଡାକ୍ତରଖାନାର ହତା ଭିତରେ ।
ଅଣ୍ଟିର ପଇସା ନିଅଣ୍ଟ ଥିଲା
ସ୍ତ୍ରୀର ଶବ ପାଇଁ ଗାଡି ଯୋଗାଡିବାରେ
ତଥାପି ହାରି ନାହିଁ ଦାନ ମାଝି
ପଛକୁ ଫେରେଇ ନାହିଁ ପାଦ
ବେଦିରେ ହୋମକୁ ସାକ୍ଷୀ ରଖି
ସାତ ଜନମକୁ ବାନ୍ଧିଛି ବନ୍ଧନ ।
ଯନ୍ତ୍ରଣାକୁ ଛାତିରେ ଶିକୁଳି ଦେଇ
ଲୁହକୁ ଆଖିରେ ଶୁଖେଇ
ସ୍ତ୍ରୀର ଶବକୁ କାନ୍ଧରେ ବୋହି
ହୋଇଥିଲା ଘରମୁହାଁ ।
ବିଭିନ୍ନ ମିଡିଆର ଆଖି
ହୋଇଗଲା ସ୍ତବ୍ଧ
ପ୍ରଚାର ହେଲା ସଂବାଦ
ଲମ୍ବି ଆସିଥିଲା ସାହାଯ୍ୟର ହାତ ସଂବେଦନାର ବାର୍ତ୍ତା ।
ତା ଦୁଃଖ ପେଡିକୁ ସାଗରରେ ଭସେଇ ଦେବାକୁ
ମାଇପିଟା ସିନା ଚାଲିଗଲା
ଯାଉଯାଉ ମରଦଟାକୁ ଉଦ୍ଧାର କରିଦେଲା
ଦାରିଦ୍ର୍ୟତାର ସାଗରରୁ ।