ମେଘମନା
ମେଘମନା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସହଜ ନୁହେଁ
ମେଘର ଚିତ୍ରଟିଏ ଆଙ୍କିବା
ସହଜ ନୁହେଁ
ଭୋକିଲା ଦେହରୁ ରକ୍ତ ଝରିବା
ହଁ ସେ ଆଜି ନିଶ୍ଚିତ ବର୍ଷିବ କହିଥିଲା।
ଦେଖ!
ନୁଆଁଣିଆ ଚାଳ ଛପର ସନ୍ଧିରୁ
ଆଲୁଅ ତିଆରିଛି ରାସ୍ତା
ଫି ବର୍ଷ ଏମିତି ତା' ମିଛ ଦୁଷ୍ଟାମୀର
ଭ୍ରମରେ ପଡନ୍ତି, ମୁହଁ ଘସନ୍ତି
ସ୍ବପ୍ନ, ଆବେଗ, ଉଛ୍ୱାସ
ସେଇଦିନୁ ଓଳିପାଣିରୁ
ମୁକୁଳିନି
ସ୍ଥିରତାର ଆୟୁଷ।।
ଭାରୀ ଅଭିମାନୀ ସେ
ପରିଚିତଙ୍କ ମେଳରେ ରହି ବି
ବର୍ଷିବାର ଇଶାରା କରେ,
ମୁଁ ମାଟି ମନସ୍କ ହୁଏ
ଝୁଣ୍ଟେ କାହା ମିଠା ତାଗିଦରେ
ଭାବର କୁଟୁମ୍ବ ସଜେଇହୁଅନ୍ତି
ଛାଏଁ ଛାଏଁ ଖଞ୍ଜାହେଇଯାଏ ଅଳଙ୍କାର
ଯାହାକୁ ନେଇ ଲେଖାହେବ
ନିଃଶବ୍ଦ ରାତିରେ କାହା ଠିକଣା।
ଘାଟରେ ଅପେକ୍ଷାର ଅନ୍ତ ଘଟେ
ସ୍ମୃତିରେ ସାଉଁଟା କୁଟାକାଠି
ବସା ହୁଏ
ତମାମ ରାତି ମେଘ..
କେଇ ମୁହୂର୍ତ୍ତ ଜୀଇଁଯାଏ
ମୁଁ ସରି ସରି ଆସେ
ଦୁଆତରୁ, ମୋହରୁ
ତା' ପାପୁଲିରୁ, ଶାମୁକାରୁ।।
ସେ କହିଚାଲେ ଅନବରତ
କେମିତି ବାଦଲ ପାଖରେ
ବନ୍ଦିନୀଟିଏ ସେ
ଆତ୍ମ ଗୋପନ କଳାରେ ମାହିର ହୋଇବି
ରକ୍ତ ବିନ୍ଦୁ ହୋଇ ଝରିବାକୁ ପଡେ
ତା'ରି ବିସ୍ଥାପିତ ଅଗଣାରେ,
ତା' ବଡ଼ପଣରେ ମୁଁ ସମର୍ପି ଦିଏ ନିଜକୁ
ଆହୁରି ସଶକ୍ତ , ନିବିଡ଼ ହୁଏ।
ଭାରି ଜିଦିଆ ସେ
ଯେତେ ଛଡେଇଲେ ବି ଛାଡେନି
ଆମ ଦେହରୁ ଭିଜାମାଟିର ବାସ୍ନା
ସେ ରଙ୍ଗୀନ କଳଙ୍କ।
ଅଭିନୟରୁ କାତି ଛଡେଇ
ଏବେ ବାଦଲ ମୁହାଁ ସେ
ଫେରିବାକୁ ହେବ ନୀଳ ଚରିତ୍ରକୁ
ସଂକଳ୍ପର ଶିକୁଳିରେ ବନ୍ଧା
ସାହୁକାର ପାଖକୁ,
ମୁଁ ଅଭିମାନ କରେ, ଜାବୁଡି ଧରେ
ମୁକ୍ତା ସମ ଛଳ ଛଳ
ଟୋପା ଟୋପା ମେଘ ବିନ୍ଦୁକୁ
ଦୁଆତରୁ ଇଡି ପଡିଥିବା ଜୀବନକୁ।।
ନା ଏତେ ସହଜ ନୁହେଁ
ମେଘମନା ହେବା
ସହଜ ନୁହେଁ ତୃଷାର୍ତ୍ତ ଆକାଶରେ
ବାଦଲ ଉହାଡ଼ରୁ
ମେଘମାଳକୁ ମୁକ୍ତ କରିବା,
ସହଜ ନୁହେଁ
ବିଛିନ୍ନତା ସଂକୀର୍ଣ୍ଣତାର
ଗାଢ଼ ଅନ୍ଧାରରୁ
ମେଘପକ୍ଷୀର ବସା ଖୋଜିବା।