STORYMIRROR

Sairat Satyajit

Tragedy

4  

Sairat Satyajit

Tragedy

ଅକବିତା

ଅକବିତା

1 min
313

 

କିଛି କବିତା ଲେଖା ହୁଏ ଚିରା ହେବା ପାଇଁ

କିଛି ସ୍ଥାପତ୍ୟ ଗଢା ହୁଏ ଭଙ୍ଗା ହେବା ପାଇଁ

ଏଠି ସବୁ ହୃଦୟ ଗୋଟେ ଗୋଟେ ବାଲିଘର

ସବୁ ସପନ ସବୁ ପ୍ରତିଶୃତି  

ଗୋଟେ ଗୋଟେ ପାଣିଗାର...


ବହୁତ ଦିନ ହେଲା କବିତା ଲେଖିନି

ବୋଧେ ଭୁଲିଗଲିଣି କେମିତି ଲେଖା ହୁଏ

କେମିତି ଶବ୍ଦ ଉପରେ ଭାବ ସଜା ହୁଏ

ହାତରେ କଲମ ଅଛି ହେଲେ ଶବ୍ଦ ନାହିଁ.. 

ଶବ୍ଦ ଅଛି ହେଲେ ଭାବନା ନାହିଁ.. 

ଶବ୍ଦ ଆଉ ଭାବନାର ଲୁଚକାଳିରେ

କେବେ କେବେ ଶୁଖି 

ଯାଏ ମୋ କଲମର କାଳି

କେବେ କେବେ କାଳି ଶୁଖେନି 

କବିତାର ଧାର ଶୁଖିଯାଏ! 


ଡଙ୍ଗା ଥାଇ ବୈଶାଖର ନଈ ଭଳି

ଶୋଷ ଅନେକ କିନ୍ତୁ ଚାରିଆଡେ ବାଲି


ସେତେବେଳେ ଲେଖିବାକୁ କାଗଜ ନଥିଲା

ହେଲେ ଲେଖିବାର ଆକାଂକ୍ଷା ଅଜସ୍ର

ଆଜି ଘରେ ଡାଏରୀ ମାଳ ମାଳ

କିନ୍ତୁ ଲେଖିବାକୁ ପଦ ମାନେ 

ମୁହଁ ଫେରାଉଛନ୍ତି

କେତେ ଯେ ଅବଶୋଷ 

କେତେ ଯେ ଗ୍ଲାନି

ପଶ୍ଚାତାପ କରିବାକୁ ଶବ୍ଦ ହିଁ ଝୁଟେନି !

 

ଯାହା ପାଇଁ ଲେଖୁଥିଲି ପଦେ ଅଧେ

କେବେଠୁ ବାଟ ହଜେଇ ଚାଲିଗଲାଣି 

କୋଉ ଅଜଣା ରାଇଜକୁ

ଚାଲୁ ଚାଲୁ ଏବେ ସମ୍ପୁର୍ଣ୍ଣ ଏକାକୀ !

ହେଲେ ବାଲି ସରୁନି କି ଶୋଷ ବି.. 


ଖାଲିରେ ବସିଲେ ଶୁଣାଯାଏ 

ଘଣ୍ଟାର ଟିକ୍ ଟିକ୍ ଶବ୍ଦ

ଛାତି ତଳେ ପିନ୍ କଣ୍ଟା ସବୁ ମାରିଲ ଭଳି

ତାକୁ ନେଇ କଣ କବିତାଟିଏ ଲେଖି ହବ !

ନା ସାରା ଜୀବନ ବଞ୍ଚି ହବ !


ଆଜି ଜଣା ପଡେନି ମୁଁ ଆଉ ଗୋଟେ 

ସାଦା କାଗଜର ପାର୍ଥକ୍ୟ !

କିଏ ମୁଁ ? 

କାଳିଦାସ ନା ଚାଣକ୍ୟ!! 

ମନ ଆଉ ଶରୀରରେ 

ଅନୁଭୂତ ଶୀଥିଳତା 

ଅକାଳ ବାର୍ଦ୍ଧକ୍ୟ

କବିତା ନ ଲେଖିଲେ 

କଣ କିଏ ବୁଢା ହେଇଯାଏ ?

ନା କିଏ ମୂର୍ଖ ହେଇଯାଏ ?


ଯେତେ ଶବ୍ଦ ଆଉ ବ୍ୟାକରଣ ସବୁ ଗଣ୍ଠିଲି କରି

ବହି ଥାକରେ ମୋ ଥୋଇ ଦେଲେ 

ମତେ ଘିଅ କରି ହୋମାଗ୍ନିରେ ଜାଳି ଦେଲେ ବି 

ତୁମ ଭାବନା ରହିତ 

ସ୍ମୃତି ବିହୀନ ଲେଖା ସବୁ କବିତା ସବୁ

ଲାଗେ କୋଉ ମହେଞ୍ଜୋଦାରର 

ବ୍ୟୁଷ୍ଟ୍ରୋଫେଡନ୍ ବର୍ଣ୍ଣମାଳା ଭଳି

ଅର୍ଥହୀନ-ବିଷର୍ଣ୍ଣ-ବିବର୍ଣ୍ଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy